ଏଇ ଭାରତରେ

ଭାରତରେ କରୋନା ବିରୋଧୀ ଲଢ଼େଇରେ ସାଧାରଣ ଜନତା ଯଥାଶକ୍ତି ସରକାରଙ୍କୁ ସହଯୋଗ କରୁଥିବାବେଳେ ତାମିଲନାଡୁର ଜଣେ ବ୍ୟକ୍ତିଙ୍କ ଯୋଗଦାନ ପ୍ରେରଣା ପାଲଟିଛି। ପୁଡୁଚେରିର ରାମନାଥପୁରମ୍‌ ନିବାସୀ ମଣିକନ୍ଦନ ଲକ୍‌ଡାଉନ ସମୟରେ ୨୪ ଘଣ୍ଟିଆ ଆମ୍ବୁଲାନ ସେବା ଯୋଗାଇ ଦେଉଛନ୍ତି। ରୋଗୀମାନଙ୍କୁ ହସ୍ପିଟାଲରେ ଠିକ୍‌ ସମୟରେ ପହଞ୍ଚାଇବା ପାଇଁ କଠିନ ପରିଶ୍ରମ କରୁଛନ୍ତି। ସବୁଠୁ ବଡ କଥା ହେଉଛି ସେ ଚାକିରି କରି ଯାହା ରୋଜଗାର କରୁଛନ୍ତି ସେଥିରେ ମାଗଣାରେ ଲୋକମାନଙ୍କୁ ଆମ୍ବୁଲାନ୍ସ ସେବା ଯୋଗାଇ ଦେଉଛନ୍ତି। କାହାଠାରୁ ଟଙ୍କାଟିଏ ବି ଅନୁଦାନ ନେଉନାହାନ୍ତି। ଏଥିପାଇଁ ମଣିକନ୍ଦନଙ୍କୁ ଏବେ ଲୋକମାନେ ‘ଆମ୍ବୁଲାନ୍ସ ମଣି’ କହୁଛନ୍ତି। ୨୦୦୭ରେ ହସ୍ପିଟାଲରେ ନ ପହଞ୍ଚିପାରି ତାଙ୍କ ଭାଇଙ୍କର ମୃତ୍ୟୁ ହେବା ପରେ ସେ ବିନା ଦେୟରେ ଆମ୍ବୁଲାନ୍ସ ସେବା ଆରମ୍ଭ କରିବା ପାଇଁ ସ୍ଥିର କରିଥିଲେ। ପରେ କଠିନ ପରିଶ୍ରମ ବଳରେ ଅର୍ଥ ଉପାର୍ଜନ କରି ସଞ୍ଚୟ କରିବା ପରେ ୨୦୧୬ରୁ ମାଗଣା ସେବା ଯୋଗାଇ ଦେଉଛନ୍ତି। ଦିନରେ କାର୍‌ ସେଲ୍ସମ୍ୟାନ ଭାବେ କାର୍ଯ୍ୟ କରି ରାତିରେ ଆମ୍ବୁଲାନ୍ସ ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି। ଦିନରେ ଯେହେତୁ ଡ୍ୟୁଟିରେ ରହନ୍ତି ସେଥିପାଇଁ ସେ ଦିନବେଳା ଜଣେ ଡ୍ରାଇଭରଙ୍କୁ ନିଯୁକ୍ତି ମଧ୍ୟ ଦେଇଛନ୍ତି। ଏବେ ସୁଦ୍ଧା ମଣି ୬୫୦ ଜଣରୁ ଊର୍ଦ୍ଧ୍ୱ ରୋଗୀଙ୍କୁ ହସ୍ପିଟାଲରେ ପହଞ୍ଚାଇପାରିଛନ୍ତି। ଏପରି କି ୧୦୮ ଆମ୍ବୁଲାନ୍ସକୁ କଲ୍‌ କଲେ ତାହା ବ୍ୟସ୍ତ ରହିଥିଲେ ସେମାନେ ରୋଗୀ ସମ୍ପର୍କରେ ମଣିଙ୍କୁ ଜଣାଇଦେବା ପରେ ସେ ତତ୍‌କ୍ଷଣାତ ସେବା ଯୋଗାଇ ଦେଇଥାନ୍ତି।