ଏଇ ଭାରତରେ

ପରିବେଶକୁ ପ୍ରଦୂଷଣମୁକ୍ତ କରିବା ପାଇଁ କେରଳର ଫାରିକ ନୌସଦ ଓ ପ୍ରବୀଣ ଜ୍ୟାକୋବ ଭର୍ଗିସଙ୍କ ପ୍ରୟାସ ନିଶ୍ଚିତ ପ୍ରଶଂସନୀୟ। ଏମାନେ ପ୍ଲାଷ୍ଟିକ୍‌ ଷ୍ଟ୍ର ବଦଳରେ ଅମୃତଭଣ୍ଡା ନଳୀରୁ ପ୍ରସ୍ତୁତ କରୁଛନ୍ତି ପରିବେଶ ଉପଯୋଗୀ ଷ୍ଟ୍ର । ଏହି ଷ୍ଟ୍ର ନଷ୍ଟ ନ ହୋଇ ୬ ମାସ ପର୍ଯ୍ୟନ୍ତ ରହିପାରୁଛି। ଅମୃତଭଣ୍ଡା ନଳୀ ସଂଗ୍ରହ କରିବା ପାଇଁ ସେମାନେ ଥିରୁଭାନନ୍ତପୁରମ୍‌ ୪୦ ଜଣ କୃଷକଙ୍କ ସହ ଯୋଗାଯୋଗ କରିଛନ୍ତି। ନୌସଦ ଓ ଭର୍ଗିସ କେରଳ ୟୁନିଭର୍ସିଟିରୁ ବି.ଟେକ୍‌ ଡିଗ୍ରୀ ହାସଲ କରି ସଫ୍ଟଓ୍ବେର ଇଣ୍ଡଷ୍ଟ୍ରୀରେ କାଯ୍ୟ କରୁଛନ୍ତି। ସେମାନେ ଏବେ ଥିରୁଭାନନ୍ତପୁରମ୍‌ କୋଚୁଭେଲି ଶିଳ୍ପାଞ୍ଚଳରେ ଥିବା ଗ୍ରୀନିକ୍‌ ସବ୍‌ଷ୍ଟାନ୍‌ସିଆଲ ଭେଞ୍ଚର ପ୍ରାଇଭେଟ ଲିମିଟେଡ୍‌ରେ ଏହି ଷ୍ଟ ନିର୍ମାଣ କରୁଛନ୍ତି ।
ସେମାନେ ପ୍ରତିମାସରେ ୨,୫୦୦ ଷ୍ଟ୍ର ଏକ ଜୁସ୍‌ ଆଉଟ୍‌ଲେଟକୁ ଯୋଗାଉଛନ୍ତି। ଏହାର ମୂଲ୍ୟ ରଖିଛନ୍ତି ୩ ଟଙ୍କା। ଏବେ ସେମାନେ ଷ୍ଟ୍ର ପ୍ରସ୍ତୁତ କରିବା ପାଇଁ ୧୦ ଜଣ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି। ମେଶିନରେ ଦିନକୁ ୪ ହଜାର ଷ୍ଟ୍ର ପ୍ରସ୍ତୁତ କରିବାକୁ ଯୋଜନା କରିଛନ୍ତି।