ଏଇ ଭାରତରେ

ବିବାହ ଭୋଜିରେ ବରକନ୍ୟାଙ୍କୁ ଉପହାର ପାଣିଭର୍ତ୍ତି ମାଠିଆ। ଏ କଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ୍ୟ। ମଧ୍ୟପ୍ରଦେଶରେ ପିଇବା ପାଣି ସମସ୍ୟା ଉତ୍କଟ ହେବାରେ ଲାଗିଛି। ସମ୍ପ୍ରତି ଏଠାରେ ଏକ ବିବାହ ଭୋଜିରେ ଯୋଗଦେଇଥିବା ଲୋକେ ବରକନ୍ୟାଙ୍କୁ ପାଣିଭର୍ତ୍ତି ମାଠିଆ ଉପହାର ଭାବେ ପ୍ରଦାନ କରିଛନ୍ତି। ସ୍ଥାନୀୟ ଖରଗୋନ୍‌ ଜିଲାର ରାୟଟେମରୀରେ ଏଭଳି ଘଟଣା ଘଟିଛି। ଏହି ପାହାଡ଼ିଆ ଆଦିବାସୀ ଗାଁରେ ପିଇବା ପାଣି ସମସ୍ୟା ଦୀର୍ଘଦିନ ଧରି ଲାଗିରହିଛି। ଗାଁରେ ବାସକରୁଥିବା କୁବେର ସିଂଙ୍କ ପୁଅଙ୍କ ବିବାହ ଭୋଜିରେ ଖାଦ୍ୟପଦାର୍ଥ ରନ୍ଧା ଯିବାର ଥିଲା। ତେବେ ଏଥିରେ ମୁଖ୍ୟ ପ୍ରତିବନ୍ଧକ ସାଜିଥିଲା ପିଇବା ପାଣି। ଏନେଇ କୁବେର ସିଂ ଗାଁର ସରପଞ୍ଚ ଏବଂ ଲୋକଙ୍କ ସହିତ ଆଲୋଚନା କରିଥିଲେ। ଶେଷରେ ସଭିଏଁ ଏକ ମାଠିଆ ପାଣି ନେଇ ବିବାହ ଭୋଜିକୁ ଆସିବାକୁ ରାଜି ହୋଇଥିଲେ। ଏବେ ଏହି ନିଆରା ବିବାହକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେବା ସହିତ ଏହା ବିଭିନ୍ନ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।