ଏଇ ଭାରତରେ

ସମୟଚକ୍ରରେ ଜଣେ ନିଷ୍ଠାପର ମଣିଷକୁ ତା’ ଶ୍ରମର ସ୍ବୀକୃତି ମିଳେ । ସେହି ବ୍ୟକ୍ତି ଜୀବନର ପ୍ରତୀକ୍ଷିତ ଲକ୍ଷ୍ୟ ହାସଲ କରେ। ଏମିତି ଲକ୍ଷ୍ୟସ୍ଥଳରେ ପହଞ୍ଚିଥିବା ଜଣେ ବ୍ୟକ୍ତି ହେଉଛନ୍ତି କେରଳର ଅଜିତ। ଦଶମ ପାସ୍‌ ପରେ ଅଜିତ ମାଛ ବିକି, ଅଟୋ ଚଲାଇ ପରିବାର ପ୍ରତିପୋଷଣ କରିବା ସହ ପିଏଚ୍‌ଡି ଡିଗ୍ରୀ ହାସଲ କରିପାରିଛନ୍ତି। ଜଣେ ଅଟୋଚାଳକ ଭାବେ ଏଭଳି ସଫଳତା ହାସଲ କରିବାରେ ସେ ହେଉଛନ୍ତି କେରଳର ପ୍ରଥମ ବ୍ୟକ୍ତି। ଅଜିତ ଏବେ କୁଣ୍ଟାଲୁରସ୍ଥ ଶ୍ରୀଅଚ୍ୟୁତ ମେନନ୍‌ ସରକାରୀ ମହାବିଦ୍ୟାଳୟର ମାଲୟାଲମ ବିଭାଗରେ ଅତିଥି ଅଧ୍ୟାପକ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କୁ ବର୍ତ୍ତମାନ ବୟସ ୨୮। ଅଜିତଙ୍କ ମା’ଙ୍କୁ ତାଙ୍କ ବାପା ଘରୁ ବାହାର କରିଦେଇଥିଲେ। ସେତେବେଳେ ଅଜିତ୍‌ଙ୍କୁ ତିନି ମାସ ହୋଇଥିଲା। ତାଙ୍କ ମା’ଙ୍କ ପାଖରେ ଜାଗା ନ ଥିଲା କି ରହିବା ପାଇଁ ଘର ନ ଥିଲା। ଏଣୁ ସେ ଅଜିତଙ୍କୁ ନେଇ ଚାଲିଆସିଥିଲେ ତାଙ୍କ ଗାଁକୁ ଓ ଦିନ ମଜୁରିଆ ଭାବେ କାର୍ଯ୍ୟ କରି ଅଜିତଙ୍କୁ ପଢାଇଥିଲେ। ଅଜିତ ଦଶମ ପାସ କରି ଘର ଚଳାଇବା ପାଇଁ ଏକ ଦୋକାନରେ ମାଛ ବିକ୍ରି କରିଥିଲେ। ପରେ ପଢିବା ଲାଗି ଟଙ୍କା ଆବଶ୍ୟକ ହେବାରୁ ସେ ଏକ ସେକେଣ୍ଡ୍‌ ହ୍ୟାଣ୍ଡ ଅଟୋ କିଣି ଚଳାଇବା ସହ ମାଲୟାଲମରେ ଡିଗ୍ରୀ ହାସଲ କରିଥିଲେ। ପରେ ବି.ଏଡ୍‌ ପାସ୍‌ କରିବା ସହ ମାଲୟାଲମରେ ସ୍ନାତକୋତ୍ତର ଓ ୨୦୧୯ରେ ଏଥିରେ ପିଏଚଡି ଡିଗ୍ରୀ ହାସଲ କରି ସେହି ବର୍ଷ ୟୁଜିସି ନେଟ୍‌ରେ ବି କୃତକାର୍ଯ୍ୟ ହୋଇଥିଲେ।