ଏଇ ଭାରତରେ

ଲକ୍‌ଡାଉନରେ ଗରିବ ଓ ଅସହାୟ ଲୋକମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିବା ଲୋକମାନଙ୍କ ମଧ୍ୟରେ ସାମିଲ ହୋଇଛନ୍ତି ବେଙ୍ଗାଲୁରୁର ସୁମିତି କୌର। ଏହି ସମୟରେ ପନିପରିବା ଆବଶ୍ୟକତାକୁ ଲକ୍ଷ୍ୟ କରି ସୁମିତି ଲୋକମାନଙ୍କୁ ତାହା ଯୋଗାଇ ଦେଉଛନ୍ତି। ୨୦୧୨ରୁ ଓକିଲାତି ଛାଡ଼ି ସୁମିତି ଜୈବିକ ଉପାୟରେ ପରିବା ଚାଷ କରୁଛନ୍ତି। ଚାଷ ଆରମ୍ଭ କରିବା ସମୟରେ ତାଙ୍କୁ ପରିବାର ପକ୍ଷରୁ ଭରପୂର ସହଯୋଗ ମିଳିଥିଲା। ପ୍ରଥମେ ସୁମିିତିଙ୍କ ସାଙ୍ଗଙ୍କ ପିତା ହସ୍‌କୋଟ ପାଖରେ ତାଙ୍କୁ ୧ ଏକର ଜମି ଦେଇଥିଲେ। ପରେ ଏଥିରେ ସେ ଜୈବିକ ପଦ୍ଧତିରେ ପରିବା ଚାଷ ଆରମ୍ଭ କରି ବିଭିନ୍ନ ପ୍ରକାର ପରିବା ଓ ଶାଗ ଉତ୍ପାଦନ କରି ମାର୍କେଟକୁ ଯୋଗାଇ ଆସୁଛନ୍ତି। କିନ୍ତୁ ଲକ୍‌ଡାଉନରେ ପରିବା ବ୍ୟବସାୟୀମାନଙ୍କୁ ନ ଦେଇ ଲୋକମାନଙ୍କ ଘରେ ପହଞ୍ଚାଉଛନ୍ତି। ଏଥିପାଇଁ ଲୋକମାନଙ୍କୁ ନିଯୁୁକ୍ତ କରିଛନ୍ତି। ଚାଷ କାର୍ଯ୍ୟରେ ଏବେ ୧୫ ଜଣ ଲୋକଙ୍କୁ ମଧ୍ୟ ନିୟୋଜିତ କରିଛନ୍ତି। କେବଳ ଏତିକି ନୁହେଁ ବେଙ୍ଗାଲୁରୁର ଗ୍ରାମୀଣ ଅଞ୍ଚଳରେ ସୁମିତି କୃଷକମାନଙ୍କୁ ଜୈବିକ ଚାଷ ସମ୍ପର୍କରେ ବି ପ୍ରଶିକ୍ଷଣ ଦେଉଛନ୍ତି। ପୈତୃକ ଗାଁ ପଞ୍ଜାବର ଲୁଧିଆନା ପାଖ ମୁଲାପୁର ଗାଁର ଝିଅ ସୁମିତି ବଢିଛନ୍ତି ଓ ପଢ଼ିଛନ୍ତି ଦିଲ୍ଲୀରେ। ଶିକ୍ଷା ଶେଷ କରି ଓକିଲାତି ପେସାରେ ଥିଲେ। କିନ୍ତୁ ତାହାକୁ ଛାଡି ବେଙ୍ଗାଲୁରୁ ଆସି ଚାଷରେ ଲାଗିଛନ୍ତି। ଲକ୍‌ଡାଉନ ସମୟରେ ତାଙ୍କ ଅଞ୍ଚଳରେ ଘରେ ଘରେ ପରିବା ଯୋଗାଇ ଦେଇ ନିଜକୁ କରୋନା ଯୋଦ୍ଧା ଭାବେ ପ୍ରତିପାଦିତ କରିପାରିଥିବାରୁ ସେ ଖୁସି ଅଛନ୍ତି ବୋଲି କହନ୍ତି ସୁମିତି।