ଏଇ ଭାରତରେ

ଗରିବମାନେ ଲକ୍‌ଡାଉନ୍‌ରେ ସବୁଠୁ ବେଶୀ ପ୍ରଭାବିତ ହୋଇଛନ୍ତି । ଏହି ସମୟରେ ସେମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇଦେଇ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ରୀ ଅନୁଷ୍କା ସେବା ମନୋଭାବର ପରିଚୟ ଦେଇଛନ୍ତି। ଲକ୍‌ଡାଉନ ସମୟରେ ଦିଲ୍ଲୀରେ ଖାଦ୍ୟ ବଣ୍ଟନ କେନ୍ଦ୍ରରେ ଗରିବ ଲୋକମାନେ ବଡିଭୋରରୁ ଲାଇନ ଲଗାଉଥିବା ଦୃଶ୍ୟ ଦେଖି ସେ ପ୍ରଭାବିତ ହୋଇଥିଲେ। ତା’ ପରେ ସେ ଏଭଳି ଲୋକମାନଙ୍କୁ ରନ୍ଧାଖାଦ୍ୟ, ରାଶନ ଓ ଓ୍ୟଷଧ ଯୋଗାଇ ଦେବାକୁ ବାହାରିଯାଇଥିଲେ। ତାଙ୍କୁ ବୟସ ଏବେ ୧୯। ସେ ବି .ଏସ୍‌ସି.(ପଦାର୍ଥ ବିଜ୍ଞାନ ସମ୍ମାନ)ର ଶେଷ ବର୍ଷ ଛାତ୍ରୀ। ଅନୁଷ୍କାଙ୍କ ପରିବାର ବେଙ୍ଗାଲୁରୁରେ ରହନ୍ତି। ତେବେ ଘରକୁ ନ ଯାଇ ତାଙ୍କର କେତେ ଜଣ ସାଙ୍ଗଙ୍କ ସହ ସେ ଏହି କାର୍ଯ୍ୟ ଚଳାଇଛନ୍ତି। ସେ ସାଙ୍ଗମାନଙ୍କୁ ନେଇ ଭଡାରେ ନେଇଥିବା ଦୁଇଟି କାର୍‌, ଅଟୋରେ ଖାଦ୍ୟ ଓ ରାଶନ ନେଇ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତିି। ଏଥିପାଇଁ ତାଙ୍କୁ ପାସ୍‌ ମଳିଛି। ସକାଳ ସାଢେ ୭ଟାରେ ଖାଦ୍ୟ ଓ ରାଶନ ନେଇ ବାହାରି ଯାଉଛନ୍ତି ଓ ଲୋକାମାନଙ୍କୁ ବାଣ୍ଟିବା ପରେ ରାତି ୧୧.୩୦ କିମ୍ବା ୧୨ଟାରେ ଘରକୁ ଫେରୁଛନ୍ତି। ସେମାନେ ସରିତା ବିହାରଠାରୁ ଆରମ୍ଭ କରି ସ୍କିଇଣ୍ଡିଆ ଯାଏ ଗରିବ ଲୋକମାନଙ୍କୁ ଖାଦ୍ୟ ବାଣ୍ଟୁଛନ୍ତି। ଏଥିପାଇଁ ଲୋକମାନେ ବି ସେମାନଙ୍କୁ ସାହାଯ୍ୟ କରୁଛନ୍ତି। ଏହି କାର୍ଯ୍ୟରେ ଅନୁଷ୍କାଙ୍କୁ ଏକ ଏନ୍‌ଜିଓ ମଧ୍ୟ ସହଯୋଗ କରୁଛି।