ଏଇ ଭାରତରେ

ଜଣେ ରାଜସ୍ବ ସେବା ଅଧିକାରୀ ପ୍ରକୃତିକୁ କେତେ ଭଲ ପାଆନ୍ତି ତାହା ତାଙ୍କ କାର୍ଯ୍ୟରୁ ସ୍ପଷ୍ଟ ହୋଇଛି। ୧୯୮୬ ବ୍ୟାଚ୍‌ର ଭାରତୀୟ ରାଜସ୍ବ ସେବା (ଆଇଆର୍‌ଏସ୍‌) ଅଧିକାରୀ ପତଞ୍ଜଳି ଝା ନିଜସ୍ବ ଉଦ୍ୟମରେ ଗତ ୨୦ ବର୍ଷ ମଧ୍ୟରେ ୧୦୦ ଏକର ଫୁଡ୍‌ ଫରେଷ୍ଟ ବା ଖାଦ୍ୟ ଯୋଗାଉଥିବା ଜଙ୍ଗଲ ସୃଷ୍ଟି କରିପାରିଛନ୍ତି। ଏହି ଜଙ୍ଗଲରୁ ବିଭିନ୍ନ ପ୍ରକାର ଫଳ, ପରିବା ଉତ୍ପାଦନ ହେଉଛି। ବହୁ କିସମର ଓ୍ୟଷଧୀୟ ବୃକ୍ଷ ବି ରହିଛି ଏହି ଜଙ୍ଗଲରେ। ୧୦୦ ଏକର ମଧ୍ୟରୁ ମଧ୍ୟପ୍ରଦେଶର ଖଲ୍‌ଘାଟରେ ୬୦ ଏକର ଓ ବିହାରର ପୁର୍ନିଆରେ ୪୦ ଏକରର ଜଙ୍ଗଲ ରହିଛି। ପୈତୃକ ଗାଁ ଖଲ୍‌ଘାଟରେ ତାଙ୍କର ୧୦ ଏକର ଜମି ଥିଲା । ୨୦ ବର୍ଷ ତଳେ ସେ ଅନ୍ୟ ୫ ଜଣ କୃଷକଙ୍କ ସହ ମିଶି ମୋଟ ୬୦ ଏକର ଜମି କିଣି ସେଥିରେ ବୃକ୍ଷରୋପଣ କରିଥିଲେ । ଏହି ଜଙ୍ଗଲ ନର୍ମଦା ନଦୀ କୂଳରେ ଶୋଭା ପାଉଛି। ଜଙ୍ଗଲରେ ସଜନା ଗଛ ସହ ବିଭିନ୍ନ ପ୍ରକାର ଲେମ୍ବୁ ଗଛ, ଆମ୍ବ, କଦଳୀ, ଲିଚୁ, ହଳଦୀ,କନ୍ଦମୂଳ, ମାଟିଆଳୁ ଲଗାଇଛନ୍ତି। ଲଙ୍କା ଓ ଘିକୁଆଁରୀ ଚାଷ ମଧ୍ୟ କରାଯାଉଛି। ଜଙ୍ଗଲରେ ମହୁଚାଷ ମଧ୍ୟ କରାଯାଉଛିି। ମହୁଚାଷକୁ ବ୍ୟାପକ କରିବା ପାଇଁ ସେ ‘ବିଜ୍‌ ଆଣ୍ଡ୍‌ ଟ୍ରିଜ୍‌’ ସ୍ଲୋଗାନ୍‌ ଦେଇଛନ୍ତି। ଚାଷ କାର୍ଯ୍ୟରେ ମହିଳାମାନଙ୍କୁ ବି ନିଯୁକ୍ତି ଦେଇଛନ୍ତି। ଝା ଏବେ କର୍ନାଟକ ଓ ଗୋଆର ଆୟକର (ତଦନ୍ତ) ମହା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ରହୁଛନ୍ତି ବେଙ୍ଗାଲୁରୁରେ। ତଥାପି ସେ ଜଙ୍ଗଲକୁ ବୁଲିବାକୁ ଆସୁଛନ୍ତି। ତାଙ୍କ କାର୍ଯ୍ୟକଳାପରେ ଅନୁପ୍ରାଣିତ ହୋଇ ଖଲ୍‌ଘାଟ ଓ ତା’ ଆଖପାଖ ଅଞ୍ଚଳରେ ପାଖାପାଖି ୪, ୦୦୦ ଏକର ଜମିରେ ଲୋକେ ଜଙ୍ଗଲ ସୃଷ୍ଟି କରିବା ଆରମ୍ଭ କରିଦେଇଛନ୍ତି। ଜଙ୍ଗଲରୁ ଲାଭ ମିଳିବା ସହ ପରିବେଶ ସୁରକ୍ଷା ବି ହୋଇପାରୁଛି ବୋଲି କହନ୍ତି ପତଞ୍ଜଳି।