ଏଇ ଭାରତରେ

କୋଲକାତାର ମୈତ୍ରୀ ବାନାର୍ଜୀ ଚାକିରି ଛାଡ଼ି ଅବହେଳିତ ପିଲାମାନଙ୍କ ସେବାରେ ଲାଗିଛନ୍ତି। ରେଳଷ୍ଟେଶନରେ ରହୁଥିବା ଅବହେଳିତ ପିଲାମାନଙ୍କ ମୁହଁରେ ହସ ଫୁଟାଉଛନ୍ତି। ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲା ଦକ୍ଷିଣେଶ୍ୱରର ମୈତ୍ରୀ ବିବାହ କରିଥିଲେ। ସେଠାରୁ କୋଲକାତା ଆସି ଚାକିରି କରି ପରେ ଚାକିରି ଛାଡି ଶେଓରାଫୁଲି, ବଣ୍ଡେଲ୍‌ ଓ ରସୁଲ୍‌ପୁର ଅଞ୍ଚଳର ଅବହେଳିତ ପିଲାମାନଙ୍କ ଭବିଷ୍ୟତ ଗଢୁଛନ୍ତି। ପ୍ରଥମେ ସେ ଘର ଘର ବୁଲି ପୋଷାକ, ବ୍ୟାଗ, ଜୋତା ଏବଂ କମ୍ବଳ ଯୋଗାଡ଼ କରି ପିଲାମାନଙ୍କୁ ଦେଉଥିଲେ। ମୈତ୍ରୀଙ୍କ କାର୍ଯ୍ୟରେ ପ୍ରଭାବିତ ହୋଇ ‘ମହାଜୀବନ’ ନାମକ ଏକ ବେସରକାରୀ ସଂସ୍ଥା ତାଙ୍କୁ ସାହାଯ୍ୟ କରୁଛି। ଏହି ସଂସ୍ଥା ସହ ମିଶି ମୈତ୍ରୀ ପିଲାମାନଙ୍କ ପାଇଁ ଦୈନିକ ଭୋଜନ ବ୍ୟବସ୍ଥା କରୁଛନ୍ତି। ଦିନବେଳା ଅନ୍ୟ ଜଣେ ଶିକ୍ଷକଙ୍କ ସହଯୋଗରେ ପଢାଉଛନ୍ତି। ଏମାନଙ୍କ ମଧ୍ୟରୁ ବହୁ ପିଲା ସରକାରୀ ସ୍କୁଲରେ ନାମ ଲେଖାଇଛନ୍ତି। ହସ୍ତକଳା ସମ୍ପର୍କରେ ଶିକ୍ଷା ମଧ୍ୟ ଦେଉଛନ୍ତି। ଏବେ ସୁଦ୍ଧା ମୈତ୍ରୀ ୧୧୦ଜଣ ପିଲାଙ୍କୁ ଉଦ୍ଧାର କରିସାରି ତାଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାର ପ୍ରୟାସ ଜାରି ରଖିଛନ୍ତି।