ଏଇ ଭାରତରେ

ଜଣେ ମହିଳା ୩୦୦ ପ୍ରାଣୀଙ୍କୁ ନେଇ ଗଠିତ ପରିବାରକୁ ସମ୍ଭାଳିବା କଥା କେବେ ଶୁଣିଛନ୍ତି କି। ଏମିତି ଜଣେ ମହିଳା ରହିଛନ୍ତି ମୁମ୍ବାଇରେ। ତାଙ୍କ ନାମ ଫିଜା ଶାହା। ତାଙ୍କୁ ବର୍ତ୍ତମାନ ବୟସ ୫୪। ୨୦ ବର୍ଷ ପୂର୍ବେ ସେ ତାଙ୍କ ପୋଷା କୁକୁରକୁ ହରାଇବା ପରେ ଏଭଳି ଏକ ବଡ଼ ପରିବାର ଗଢ଼ିବାକୁ ନିଷ୍ପତ୍ତି ନେଇଥିଲେ। ପରେ ରାସ୍ତା ଦୁର୍ଘଟଣାରେ ଆହତ ଓ ରୋଗଗ୍ରସ୍ତ କୁକୁର, ବିଲେଇ, ଛେଳି, ଠେକୁଆ, ଘୋଡ଼ା, ଗାଈ, ବଳଦ, ନେଉଳ, କୁକୁଡ଼ା ଆଦି ପ୍ରାଣୀଙ୍କୁ ଉଦ୍ଧାରକରି ତାଙ୍କ ଫାର୍ମରେ ରଖିଛନ୍ତି। ମୁମ୍ବାଇର ଭିରାର୍‌ ଅଞ୍ଚଳରେ ୬ ଏକର ବିଶିଷ୍ଟ ଫାର୍ମରେ ଏହି ପ୍ରାଣୀମାନଙ୍କୁ ସେ ରଖିଛନ୍ତି। ଅନେକ ସମୟରେ ପୋଷା ଜୀବ ବୁଢ଼ା ହୋଇଗଲେ ତାକୁ ଲୋକମାନେ ରାସ୍ତାରେ ଛାଡିଦିଅନ୍ତି। ଏମାନଙ୍କୁ ମଧ୍ୟ ସେ ଉଦ୍ଧାର କରି ସେବା କରୁଛନ୍ତି। ପ୍ରାଣୀଙ୍କ ଦେଖାରଖା କରିବା ପାଇଁ ଫାର୍ମରେ ୧୫ ଜଣ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି। ସେମାନେ ଦିନରାତି ପ୍ରାଣୀଙ୍କ ସେବାରେ ଲାଗିଛନ୍ତି। ଫିଜା ସେମାନଙ୍କ ଚିକିତ୍ସା, ଖାଦ୍ୟ ତଥା ଅନ୍ୟାନ୍ୟ ଖର୍ଚ୍ଚ ନିଜେ ବହନ କରୁଛନ୍ତି। କର୍ମଚାରୀଙ୍କ ଦରମା ମଧ୍ୟ ନିଜ ପକେଟରୁ ଦେଉଛନ୍ତି।