ଏଇ ଭାରତରେ

ଜଣେ କି ଦୁଇ ଜଣ ନୁହନ୍ତି, ଏକାଥରକେ ୩୦୦ ବରିଷ୍ଠ ନାଗରିକଙ୍କର ସେ ପୁଅ। ଏହି ପୁଅ ଜଣକ ଆଉ କେହି ନୁହନ୍ତି, ସେ ହେଉଛନ୍ତି କୋଲକାତା ବାରାନଗର ନିବାସୀ ଦେବ କୁମାର ମଲ୍ଲିିକ। ନିରାଶ୍ରୟ ବରିଷ୍ଠ ନାଗରିକମାନଙ୍କ ପାଇଁ ସେ ପାଲଟିଛନ୍ତି ଦେବଦୂତ। ଥରେ ତାଙ୍କ ଘରପାଖରେ ରହୁଥିବା ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ପାଇଁ ଖାଦ୍ୟ ମାଗିଲେ। ଦେବ ଏହି ଦମ୍ପତିଙ୍କ ସମ୍ପର୍କରେ ଜାଣିବା ପରେ ଏଭଳି ଅବସ୍ଥାରେ ରହୁଥିବା ଲୋକମାନଙ୍କ ସନ୍ଧାନରେ ଲାଗି ପଡ଼ି ଜଣକ ପରେ ଜଣଙ୍କୁ ଦେବ ନିଜର କରିବାରେ ଲାଗିଲେ। ଏବେ ଏଭଳି ସଂଖ୍ୟା ବୃଦ୍ଧିପାଇ ୩୦୦ରେ ପହଞ୍ଚିଛି। କହିବାକୁ ଗଲେ ଦେବଙ୍କ ପରିବାରରେ ୩୦୦ ଜଣ ଯୋଡି ହୋଇଯାଇଛନ୍ତି। ୨୦୧୫ରେ ସେ ତାଙ୍କ ଘରେ ପ୍ରଥମେ ଏଭଳି ବ୍ୟକ୍ତିମାନଙ୍କୁ ପ୍ରତ୍ୟହ ଦିନ ବେଳା ଥରେ ଖାଇବାକୁ ଦେବା ଆରମ୍ଭ କରିଥିଲେ। ଧୀରେ ଧୀରେ ସେମାନଙ୍କୁ ଦିନ ଓ ରାତିରେ ଖାଇବାକୁ ଦେଉଥିଲେ। କେବଳ ଏତିକି ନୁହେଁ, ସେମାନଙ୍କ ଚିକିତ୍ସା ଖର୍ଚ୍ଚ ବି ସେ ବହନ କରୁଛନ୍ତି। ୩୦୦ ଜଣ ନିରାଶ୍ରୟଙ୍କୁ ଖାଇବାକୁ ଦେବା ଲାଗି ଦେବଙ୍କୁ ୬୪ ଜଣ ସ୍ବେଚ୍ଛାସେବୀ ସହଯୋଗ କରୁଛନ୍ତି। ଏମାନଙ୍କୁ ମେଡିକାଲ ନେବା ଆଣିବା ପାଇଁ ସେ ଦୁଇଟି କାର୍‌ର ବ୍ୟବସ୍ଥା ମଧ୍ୟ କରିଛନ୍ତି। ଏହା ସହ ସେ ଅଞ୍ଚଳରେ ନିରାଶ୍ରୟମାନଙ୍କ ଅନ୍ତ୍ୟେଷ୍ଟିକ୍ରିୟା କରୁଛନ୍ତି। ଏଥିପାଇଁ ସେ ୧ଟଙ୍କା ନେଉଛନ୍ତି।