ଦେଶରେ କରୋନା ବିରୋଧୀ ଲଢ଼େଇରେ ଦିନକୁ ଦିନ ନୂଆ ନୂଆ ଯୋଦ୍ଧା ଯୋଡ଼ି ହେଉଛନ୍ତି। ସେଥିରୁ ଦିଲ୍ଲୀର ଜଣେ ଗୃହିଣୀ ବାଦ୍ ଯାଆନ୍ତେ କେମିତି। ୫୬ ବର୍ଷୀୟା ଲକ୍ଷ୍ମୀ ଦାସ ଦିଲ୍ଲୀରେ ସପରିବାର ରହନ୍ତି। ସେ ଘରେ ମାସ୍କ ତିଆରି କରି ମାଗଣାରେ ଗରିବ ଲୋକମାନଙ୍କୁ ବାଣ୍ଟୁଛନ୍ତି। ଲକ୍ଷ୍ମୀ ପ୍ରଥମେ ୨୫ ଟି ମାସ୍କ ତିଆରି କରି ଶ୍ରମିକ, ରିକ୍ସାଚାଳକ ଓ ଦୋକାନୀମାନଙ୍କୁ ଦେଇଥିଲେ। ମାସ୍କ ତିଆରି ଖର୍ଚ୍ଚ ନିଜେ ବି ବହନ କରୁଛନ୍ତି। ଏବେ ସୁଦ୍ଧା ସେ ୧୦୦୦ରୁ ଊର୍ଦ୍ଧ୍ୱ ମାସ୍କ ମାଗଣାରେ ବାଣ୍ଟିସାରିଲେଣି। ଖରାଦିନେ ଶ୍ରମିକମାନେ ମାସ୍କ ବାନ୍ଧି ଯେପରି ଆରାମରେ କାମ କରିପାରିବେ ସେଥିପ୍ରତି ଦୃଷ୍ଟି ଦେଇ ପୂରା ସୂତା କପଡାରେ ମାସ୍କ ତିଆରି କରୁଛନ୍ତି ଲକ୍ଷ୍ମୀ। ଦୋକାନୀମାନଙ୍କ ମାଧ୍ୟମରେ ବି ଲୋକମାନଙ୍କୁ ମାସ୍କ ଦେଉଛନ୍ତି। ମାସ୍କ ତିଆରି କରିବାରେ ଲକ୍ଷ୍ମୀଙ୍କୁ ତାଙ୍କ ପୁଅ ସୌରଭ ସାହାଯ୍ୟ କରୁଛନ୍ତି। କରୋନା ଭାଇରସ୍ର ପ୍ରଭାବ ଆଗକୁ ରହିବ ଓ ଏଥିଲାଗି ଲକ୍ଷ୍ମୀ ମଧ୍ୟ ଆହୁରି ଅଧିକ ମାସ୍କ ଗରିବମାନଙ୍କୁ ବାଣ୍ଟିବା ପାଇଁ ଲକ୍ଷ୍ୟ ରଖିଛନ୍ତି।