ଏଇ ଭାରତରେ

ଦେଶରେ କୃଷକଙ୍କ ଦୁଃଖ କହିଲେ ସରିବନି। କିନ୍ତୁ ସେମାନଙ୍କ ଦୁଃଖ ଦୂର କରିବା ଲାଗି ଅଣ୍ଟା ଭିଡ଼ିଛନ୍ତି ମହାରାଷ୍ଟ୍ରର କୃଷକ ପୁଅ ଅଶୋକ ଦେଶ୍‌ମାନେ। ପରଭାନି ଜିଲାରେ ତାଙ୍କ ଜନ୍ମ। ତାଙ୍କ ବାପା ଚାଷ କରିବା ସମୟରେ ପିଲାଦିନେ ସେ ସବୁ ଦୁଃଖ ସହିଛନ୍ତି। ତାଙ୍କ ପରିବାରର ଆର୍ଥିକ ଅବସ୍ଥା ଭଲ ନ ଥିଲା। ବହୁ କଷ୍ଟରେ ସେ ଇଞ୍ଜିନିୟରିଂ ଶିକ୍ଷା ଶେଷ କରି ଚାକିରି କରିଥିଲେ। ଗରିବ କୃଷକମାନଙ୍କ ପିଲାମାନଙ୍କୁ ଶିକ୍ଷା ଦେବା ପାଇଁ ସେ ଚାକିରି ଛାଡି ୨୦୧୫ରେ ଆରମ୍ଭ କରିଥିଲେ ଏକ ସ୍କୁଲ ‘ସ୍ନଓ୍ବୋନ’। ଏଥିରେ ମରୁଡି ପ୍ରପୀଡିତ ଅଞ୍ଚଳର ଗରିବ କୃଷକମାନଙ୍କ ପିଲାମାନଙ୍କୁ ସେ ମାଗଣାରେ ପଢ଼ାଉଛନ୍ତି। ସେମାନଙ୍କୁ ପ୍ରାଥମିକ ଶିକ୍ଷା ପ୍ରଦାନ କରିବା ସହ ଜୀବନରେ ସଫଳ ହେବା ଲଗି ବୃତ୍ତିଗତ କୌଶଳ ସମ୍ପର୍କରେ ବି ଶିକ୍ଷା ଦେଉଛନ୍ତି। ଭବିଷ୍ୟତରେ ମରୁଡିର ମୁକାବିଲା କରିବା ପାଇଁ ପିଲାମାନଙ୍କୁ କୃଷି ସମ୍ପର୍କରେ ମଧ୍ୟ ତାଲିମ ଦେଉଛନ୍ତି।