ଏଇ ଭାରତରେ

ଜେଲରେ ରହନ୍ତି ଜଣେ ମାତ୍ର କଏଦୀ। କଥାଟା ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଗୁଜରାଟ ନିକଟବର୍ତ୍ତୀ ଆରବ ସାଗରର ଡିଉ ଆଇଲାଣ୍ଡରେ ଥିବା ଡିଉ ଫୋର୍ଟରେ ରହିଛି ଏହି ଜେଲ୍‌। ଏଥିରେ ଦୀପକ କାଞ୍ଜି(୩୦) ନାମକ ଜଣେ କଏଦୀ ରହୁଛନ୍ତି। ଡିଉ ଏକ କେନ୍ଦ୍ରଶାସିତ ଅଞ୍ଚଳ। ୨୦୧୩ରେ ଏଠାରେ ୭ ଜଣ କଏଦୀ ଥିବାବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଗୁଜରାଟର ଆମ୍‌ରେଲି ଜେଲକୁ ପଠାଇ ଦିଆଯାଇଥିଲା ଓ ୨ଜଣ ମୁକ୍ତ ହୋଇଯାଇଥିଲେ। ଶେଷକୁ ରହିଯାଇ ଥିଲେ ଦୀପକ। ସ୍ତ୍ରୀଙ୍କୁ ବିଷ ଦେଇ ମାରିବାକୁ ଉଦ୍ୟମ କରିବା ଅଭିଯୋଗରେ ଏବେ ତାଙ୍କ ମାମଲା ଡିଉ ସେସନ୍ସ କୋର୍ଟରେ ବିଚାରାଧୀନ ଅଛି। ଯେବେ ତାଙ୍କ ମାମଲାର ସମାଧାନ ହୋଇଯିବ ସେହିଦିନ ଉକ୍ତ ଜେଲକୁ ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାକୁ ହସ୍ତାନ୍ତର କରାଯିବ ଓ ସେ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ ଆମ୍‌ରେଲି ଜେଲକୁ ପଠାଇ ଦିଆଯିବ। ସୂଚନାଯୋଗ୍ୟ, ଏବେ ସେହି ଜେଲ୍‌ରେ ଦୀପକଙ୍କ ପାଇଁ ୫ଜଣ ଗାର୍ଡ ଥିବା ବେଳେ ଜଣେ ଆସିଷ୍ଟାଣ୍ଟ ଜେଲର୍‌ ରହୁଛନ୍ତି। ନିକଟରେ ଥିବା ଏକ ରେଷ୍ଟୁରାଣ୍ଟରୁ ପ୍ରତିଦିନ ଦୀପକଙ୍କ ପାଇଁ ଖାଇବା ଆସିଥାଏ। ସେ ସେଠାରେ ପ୍ରତିଦିନ ଖବରକାଗଜ ଓ ମାଗାଜିନ୍‌ ପଢିବା ସହ ଦୂରଦର୍ଶନରେ କେବଳ ଆଧ୍ୟାତ୍ମିକ ଚ୍ୟାନେଲ ଦେଖିବାକୁ ପସନ୍ଦ କରନ୍ତି।