ଏଇ ଭାରତରେ

ବହୁ ସମୟରେ ଅନ୍ୟମାନଙ୍କ ଦୁଃଖ ଜଣେ ବ୍ୟକ୍ତିର ହୃଦୟରେ ପରିବର୍ତ୍ତନର ସ୍ବର ଉଠାଏ, ତାକୁ ଦୁଃଖୀମାନଙ୍କ ସେବା କରିବା ଲାଗି ଶକ୍ତି ଯୋଗାଏ, ଯାହା ଘଟିଛି କେରଳର ଏନିଙ୍କ କ୍ଷେତ୍ରରେ। କୋଟ୍ଟାୟାମ୍‌ନିବାସୀ ଏନି ଏବେ ଅନାଥ ଓ ନିର୍ଯାତିତ ମହିଳାମାନଙ୍କ ସାହାରା ପାଲଟିଛନ୍ତି। ଏନି ଆରମ୍ଭରୁ ଏକ ଏନ୍‌ଜିଓରେ କାମ କରୁଥିଲେ। ଏହାର ଆର୍ଥିକ ଅବସ୍ଥା ଦୁର୍ବଳ ହୋଇଯିବାରୁ ଦୁଇଜଣ ମହିଳାଙ୍କୁ ବାହାର କରି ଦିଆଗଲା। ଫଳରେ ସେମାନେ ଆମତ୍ହତ୍ୟା କଲେ। ଏହି ଘଟଣା ପରେ ସେ ଏନ୍‌ଜିଓ ଛାଡ଼ିଦେଲେ। ପରେ ତିନିମାସର ଝିଅକୁ ତା’ ପରିବାର ଟ୍ରେନ୍‌ରେ ଛାଡି ଚାଲିଯିବା ପରେ ସେ ଝିଅଟିକୁ ପୋଷ୍ୟଭାବେ ଗ୍ରହଣ କଲେ। ଏହି ଘଟଣା ବି ତାଙ୍କୁ ଖୁବ୍‌ ପ୍ରଭାବିତ କରିଥିଲା। ପରେ ନିଜସ୍ବ ଉଦ୍ୟମରେ ପ୍ରତିଷ୍ଠା କଲେ ଏକ ଏନ୍‌ଜିଓ। ଏହାର ନାମ ରଖିଲେ ‘ସନ୍ଥଓ୍ବାନମ୍‌ ଚାରିଟେବଲ ଟ୍ରଷ୍ଟ’। ଏହା ଏବେ ୯୦ ଜଣ ଅନାଥ ପିଲାଙ୍କ ସମେତ ନିର୍ଯାତନାର ଶିକାର ହେଉଥିବା ମହିଳା ତଥା ପରିତ୍ୟକ୍ତ ବୃଦ୍ଧାମାନଙ୍କ ଆଶ୍ରୟସ୍ଥଳୀ ହୋଇଯାଇଛି। ବସ୍ତିଗୁଡ଼ିକରୁ ଏମାନଙ୍କୁ ଏନି ଉଦ୍ଧାର କରୁଛନ୍ତି। ସେମାନଙ୍କ ପାଇଁ ମାନସିକ ଚିକିତ୍ସାର ବ୍ୟବସ୍ଥା କରିଛନ୍ତି। ଯୋଗ ଓ ଧ୍ୟାନ ଶିଖାଉଛନ୍ତି। ନିର୍ଯାତିତ ମହିଳାମାନଙ୍କୁ ଆଇନ ସହାୟତା ମଧ୍ୟ ଯୋଗାଇ ଦେଉଛନ୍ତି। ଅନାଥ ପିଲାମାନଙ୍କୁ ଶିକ୍ଷା ଦେବା ସହ ଧନ୍ଦାମୂଳକ ଅନୁଷ୍ଠାନଗୁଡ଼ିକରେ ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ପାଇବାର ବ୍ୟବସ୍ଥା ମଧ୍ୟ କରିଛନ୍ତି ଏନି।