ଏଇ ଭାରତରେ

ହଜାର ହଜାର ଯୁବକଙ୍କୁ ହିଂସା ପଥରୁ ଦୂରେଇ ରଖି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରୁଛନ୍ତି ମଣିପୁରର ଜାମଖୋଜାଙ୍ଗ ମିଶାଓ। ସେ ଏଥିପାଇଁ ‘ଗନ୍‌ ଟୁ ପେନ୍‌’ ଅଭିଯାନ ଆରମ୍ଭ କରିଛନ୍ତି। ଏହା ମାଧ୍ୟମରେ ୫ ହଜାର ଯୁବକଙ୍କୁ ସ୍ବାବଲମ୍ବୀ ହେବାର ବାଟ ଦେଖାଇଛନ୍ତିି। ବ୍ୟକ୍ତିତ୍ୱ ବିକାଶ ଏବଂ କ୍ୟାରିୟର ସମ୍ପର୍କିିତ ଶିକ୍ଷା ଉପରେ ବି ଜୋର ଦେଉଛନ୍ତି। ସେ ଦଶମ ଶ୍ରେଣୀରେ ପଢୁଥିବା ସମୟରେ ଗେରିଲା ଯୁଦ୍ଧ ସମ୍ପର୍କରେ ଶିକ୍ଷା ପାଇଥିଲେ। କିନ୍ତୁ ସେ ସନ୍ତ୍ରାସବାଦୀଙ୍କ ସପକ୍ଷରେ ନ ଯାଇ ଗାଁକୁ ଫେରିଯାଇ ଗାଁ ସୁରକ୍ଷାରେ ଲାଗିଥିତ୍ଲେ। ଇତିହାସରେ ଡିଗ୍ରୀ ହାସଲ କରିବା ପରେ ମିଶାଓ ଏକ ବେସରକାରୀ ସ୍କୁଲରେ ପଢ଼ାଉଥିଲେ।
ତାକୁ ଛାଡି ସାମାଜିକ କର୍ମୀ ଭାବେ ବିଭିନ୍ନ ସଂସ୍ଥାରେ କାର୍ଯ୍ୟ କରି ଅଭିଜ୍ଞତା ହାସଲ କରିବା ପରେ ‘ଗନ୍‌ ଟୁ ପେନ୍‌’ ଅଭିଯାନ ଆରମ୍ଭ କରିଥିଲେ। ମଣିପୁରର ଦୁର୍ଗମ ଅଞ୍ଚଳରେ ଏହା ମାଧ୍ୟମରେ ବୁକ୍‌ ବ୍ୟାଙ୍କ୍‌ ଖୋଲିଛନ୍ତି। ମିଶାଓ ଓ ତାଙ୍କ ଟିମ୍‌ ଗାଁଗୁଡିକରେ ପହଞ୍ଚି ସେଠାରେ ପିଲାମାନଙ୍କୁ ବହି ଦେଉଛନ୍ତି। ଏକ ଫୁଟବଲ ଏକାଡେମୀ ପ୍ରତିଷ୍ଠା କରି ୪୦ରୁ ଊର୍ଦ୍ଧ୍ୱ ଝିଅଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ଗୃହିଣୀମାନଙ୍କୁ ଧନ୍ଦାମୂଳକ ପ୍ରଶିକ୍ଷଣ ଦେଇ ସ୍ବାବଲମ୍ବୀ କରାଉଛନ୍ତି। ଯେଉଁ ମହିଳାମାନେ ଛୋଟ ବ୍ୟବସାୟ ଆରମ୍ଭ କରୁଛନ୍ତି ସେମାନଙ୍କୁ ଆର୍ଥିକ ସହଯୋଗ ବି କରୁଛନ୍ତି ମିଶାଓ। କୋଭିଡ୍‌-୧୯ ମହାମାରୀ ସମୟରେ ସେ ଅନାଥ ଆଶ୍ରମକୁ ରାଶନ ସାମଗ୍ରୀ ମଧ୍ୟ ଯୋଗାଇ ଦେଉଛନ୍ତି। ତାଙ୍କୁ ଜୀବନରୁ ମାରିଦେବା ଲାଗି ସନ୍ତ୍ରାସବାଦୀମାନେ ବାରମ୍ବାର ଚେଷ୍ଟା କରିଛନ୍ତି। ଏମିତି ୨୦୧୫ରେ ସେମାନେ ତାଙ୍କ ଘରେ ଆସି ପହଞ୍ଚିଯାଇଥିଲେ ବି ସେ ଅଳ୍ପକେ ରକ୍ଷା ପାଇଯାଇଥିଲେ।