ଏଇ ଭାରତରେ

ବର୍ତ୍ତମାନ ନିର୍ବାଚନ ଋତୁ ଜାରି ରହିଛି। ଭାରତ ଭଳି ଏକ ବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ରରେ ଭୋଟଦେଇ ନିଜ ମନ ପସନ୍ଦର ପ୍ରତିନିଧି ବାଛିବା ପ୍ରତ୍ୟେକ ବ୍ୟକ୍ତିଙ୍କର କର୍ତ୍ତବ୍ୟ। କିନ୍ତୁ ଅନେକ ସ୍ଥଳରେ ଦେଖାଯାଉଛି କେତେକ ବ୍ୟକ୍ତି ବିଭିନ୍ନ ଆଳ ଦେଖାଇ ଭୋଟଦାନରୁ ବିରତ ରହୁଛନ୍ତି। ଭୋଟଦାନ ନ କରିବା ଅର୍ଥ ଗଣତାନ୍ତ୍ରିକ ଶାସନ ପ୍ରକ୍ରିୟାରୁ ନିଜକୁ ଦୂରେଇ ରଖିବା। ଗୁରୁବାର ଥିଲା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ। ଜମ୍ମୁ-କଶ୍ମୀରର କଠୁଆ ଜିଲାରେ ଜଣେ ବୃଦ୍ଧା ଅସୁସ୍ଥ ଥିବା ସତ୍ତ୍ୱେ ମତଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ୮୦ ବର୍ଷୀୟା ଏହି ବୃଦ୍ଧା ହେଉଛନ୍ତି ଯୋଗୀନ୍ଦରୋ ଦେବୀ। ସେ ଅସୁସ୍ଥ ଥିବାରୁ କିଛି ଦିନ ହେବ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ହେଲେ ଗୁରୁବାର ତାଙ୍କ ନିର୍ବାଚନମଣ୍ଡଳୀରେ ଭୋଟ ଗ୍ରହଣ କରାଯାଉଥିବାରୁ ସେ ଉତ୍ସାହିତ ହୋଇ ହୁଇଲ୍‌ଚେୟାର ଯୋଗେ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ। ମତାଧିକାର ସାବ୍ୟସ୍ତ କରିବା ପରେ ପୁଣି ହସ୍ପିଟାଲ ଚାଲିଯାଇଛନ୍ତି। ଅସୁସ୍ଥ ତଥା ଅଶୀତିପର ଏହି ମହିଳାଙ୍କ ଭୋଟଦାନ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ନିଶ୍ଚୟ।