ଏଇ ଭାରତରେ

ପ୍ରତିଷ୍ଠିତ ବ୍ୟକ୍ତିଙ୍କ ନାମରେ ରାସ୍ତା, ପାର୍କ, ପ୍ରକଳ୍ପ କିମ୍ବା ଭବନର ନାମକରଣ ହେବା ଏକ ସାଧାରଣ କଥା, କିନ୍ତୁ ଜଣେ ଆଇଏଏସ୍‌ ଅଧିକାରୀଙ୍କ ନାମରେ ଏକ ଗାଁ ନାଁ ରଖାଯିବା କେବେ ଶୁଣିଛନ୍ତି କି? ଏମିତି ଏକ ଘଟଣା ସାମ୍‌ନାକୁ ଆସିଛି ତେଲଙ୍ଗାନାରେ। ୨୦୧୦ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ଦିବ୍ୟା ଦେବରଞ୍ଜନ ଅଦିଲାବାଦ ଜିଲାପାଳ ଭାବେ ନିଯୁକ୍ତି ପାଇବା ପରେ ଜିଲାର ଗୋଣ୍ଡ (ଆଦିବାସୀ ସମ୍ପ୍ରଦାୟ)ବହୁଳ ଗାଁଗୁଡିକରେ ଏଭଳି କାର୍ଯ୍ୟ କରିଛନ୍ତି ଯେ ସେଠାକାର ବାସିନ୍ଦା ତାଙ୍କୁ ସମ୍ମାନ ଜଣାଇବା ଲାଗି ଏକ ଗାଁର ନାମ ରଖିଛନ୍ତି ଦିବ୍ୟାଗୁଡା। ଆଦିଲାବାଦରେ ଗୋଣ୍ଡ ସମ୍ପ୍ରଦାୟ ବହୁ ସମୟରେ ସେ ଅଞ୍ଚଳରେ ରହୁଥିବା ଅନ୍ୟ ସମ୍ପ୍ରଦାୟଗୁଡ଼ିକ ସହ ହିଂସାରେ ଲିପ୍ତ ରହନ୍ତି। କିନ୍ତୁ ଦିବ୍ୟା ଜିଲାପାଳ ଭାବେ ନିଯୁକ୍ତି ପାଇବା ପରେ ମାତ୍ର ତିନିମାସ ମଧ୍ୟରେ ଗୋଣ୍ଡି ଭାଷା ଶିଖି ସେମାନଙ୍କ ସହ କଥା ହୋଇ ଅନେକ ସମସ୍ୟାର ସମାଧାନ କରିପାରିଥିଲେ। ଚିକିତ୍ସା ସୁବିଧା ପାଇର୍ଁ ସରକାରୀ ଡାକ୍ତରଖାନାରେ ସେମାନଙ୍କ ଭାଷା ବୁଝିବାକୁ ଜଣେ ଗୋଣ୍ଡି ଭାଷା ଅନୁବାଦକଙ୍କୁ ନିଯୁକ୍ତି ଦେଇଛନ୍ତି, ଯାହାଦ୍ୱାରା ସେମାନଙ୍କ ଚିକିତ୍ସା ସହଜ ହୋଇପାରୁଛି। ଚିକିତ୍ସା ପାଇଁ ଆର୍ଥିକ ସହାୟତା ଓ ସ୍ବତନ୍ତ୍ର ଆମ୍ବୁଲାନ୍ସ ବ୍ୟବସ୍ଥା ମଧ୍ୟ କରାଯାଇଛି। ଖୁବ୍‌ କମ୍‌ ଦିନରେ ଗୋଣ୍ଡମାନଙ୍କ ଜୀବନଶୈଳୀ ପରିବର୍ତ୍ତନ କରିବା ସହ ଜଳସେଚନ, ବେକାରି ସମସ୍ୟା ଓ ନିରକ୍ଷରତା ହାରରେ ବି ଉନ୍ନତି ଆଣିପାରିଛନ୍ତି। ସେ ଚଳିତବର୍ଷ ଫେବୃୟାରୀରେ ତେଲଙ୍ଗାନା ମହିଳା, ଶିଶୁ, ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକ ବିଭାଗର ସଚିବ ଓ କମିଶନର ଭାବେ ନିଯୁକ୍ତି ପାଇଥିଲେ ବି ଏ ଅଞ୍ଚଳର ବିକାଶକୁ ନେଇ ଖୁସି ଅଛନ୍ତି ବୋଲି କହନ୍ତି ଦିବ୍ୟା।