ସୁ ରଟ୍ର ସ୍ନେହାଲ ପଟେଲଙ୍କୁ ୮ବର୍ଷ ହେବ ବିଦ୍ୟୁତ୍ କି ପାଣି ବିଲ ଦେବାକୁ ପଡିନି। ତାଙ୍କ ଘର ନିର୍ମାଣ ହୋଇଛି ବ୍ୟବହୃତ କାଠରେ। ଏହାକୁ ସେ ବିଭିନ୍ନ ଟ୍ରେଡର ଓ ଶିପିଂ ୟାର୍ଡରୁ ସଂଗ୍ରହ କରିଛନ୍ତି। ସ୍ନେହାଲଙ୍କୁ ଏବେ ବୟସ ୫୫। ପେସାରେ ମେକାନିକାଲ ଇଞ୍ଜିନିୟର। ଛାତ ଉପରେ ୭.୫ କିଲୋଓ୍ବାଟ୍ର ସୋଲାର ଓ ଓ୍ବିଣ୍ଡ୍ ପାଓ୍ବାର ସେଟ୍ଅପ୍ରୁ ବିଦ୍ୟୁତ୍ ସଂଗ୍ରହ କରୁଛନ୍ତି। ବର୍ଷାଦିନେ ସୌର ବିଦ୍ୟୁତ୍ କମିଗଲେ ଓ୍ବିଣ୍ଡ୍ ଜେନେରେଟର ଏହା ଯୋଗାଇଦିଏ। ଛାତ ଉପରେ ବର୍ଷାଜଳ ସଂରକ୍ଷଣ କରି ତାହାକୁ କ୍ଲଥ୍ ଫିଲ୍ଟରରେ ଫିଲ୍ଟର କରି ବାଥରୁମ୍ ଓ ରୋଷେଇ ପାଇଁ ବ୍ୟବହାର କରୁଛନ୍ତି। ଗ୍ରାଉଣ୍ଡ ଫ୍ଲୋର୍ରେ ଥିବା ଟାଙ୍କିରେ ୨ ଲକ୍ଷ ଲିଟର ପାଣି ଷ୍ଟୋର କରୁଛନ୍ତି। ଆର୍ଓ ଫିଲ୍ଟର ସିଷ୍ଟମ ନାହିଁ, କେବଳ ୫ଟି କପର ପଟ୍ ଦ୍ୱାରା ପ୍ରାକୃତିକ ଉପାୟରେ ପାଣିକୁ ଫିଲ୍ଟର କରୁଛନ୍ତି। ଏହାବାଦ୍ ଷଡ଼େଇରୁ ପ୍ରସ୍ତୁତ ଅଙ୍ଗାର, ମାର୍ବଲ ଚିପ୍ସ, ହ୍ବାଇଟ୍ ସ୍ୟାଣ୍ଡ୍ ଏବଂ ସିଲ୍ଭର କଏନ୍ ମଧ୍ୟଦେଇ ପାଣି ସଂଗ୍ରହ କରାଯାଇ ବ୍ୟବହାର କରାଯାଉଛି। ଏଥିପାଇଁ ବିଦ୍ୟୁତ୍ର ଆବଶ୍ୟକତା ପଡୁନାହିଁ। ସେ ବାଥ୍ରୁମ୍ ଓ ରୋଷେଇଘରୁ ବାହାରୁଥିବା ପାଣିକୁ ରୁଟ୍ ଜୋନ୍ ଫିଲ୍ଟର ସିଷ୍ଟମ୍ରେ ଅର୍ଥାତ୍ ବାଲି ଓ କିଛି ଜଳ ବିଶୋଧନକାରୀ ଗଛ ଲଗାଇ ପରିଷ୍କାର କରି ବଗିଚାରେ ଉପଯୋଗ କରୁଛନ୍ତି। ଟଏଲେଟ ପାଣିକୁ ଫିଲ୍ଟର କରି ବଗିଚାରେ ବ୍ୟବହାର କରାଯାଉଛି। ୧୯୮୪ରେ ସେ ସୁରଟ୍ରେ ନ୍ୟାଚୁରାଲ କ୍ଲବ୍ ଗଠନ କରିଥିଲେ, ଯାହା ଏବେ ଏକ ଏନ୍ଜିଓ ପାଲଟିଛି। ଏଥିରେ ୨,୦୦୦ ସଦସ୍ୟ ରହି ଜୈବବିବଧତାର ସୁରକ୍ଷାରେ ଲାଗିଛନ୍ତି। ୪ ଏକର ହତା ମଧ୍ୟରେ ସ୍ନେହାଲ ୭୦ ପ୍ରକାରର ୭୦୦ ଗଛ ଲଗାଇଛନ୍ତି।