ଏଇ ଭାରତରେ

କୋଭିଡ୍‌-୧୯ ବିପର୍ଯ୍ୟୟ ଲୋକଙ୍କ ଜୀବିକା ନେଉଛି ସତ କିନ୍ତୁ ସ୍ବାବଲମ୍ବୀ ହେବାର ସୁଯୋଗ ବି ଆଣିଦେଉଛି, ଯାହା ଘଟିଛି କେରଳର ଶ୍ରୀଦେବୀ ଗୋପାଳନଙ୍କ କ୍ଷେତ୍ରରେ। ମହିଳା ହୋଇ ନଡ଼ିଆଗଛ ଚଢ଼ି ଯାହା ରୋଜଗାର କରୁଛନ୍ତି ସେଥିରେ ସେ ଏବେ ପରିବାର ଚଳାଉଛନ୍ତି। ପୁରୁଷପ୍ରଧାନ ଏହି କଠିନ ବୃତ୍ତିରେ ଲିଙ୍ଗଗତ ପାର୍ଥକ୍ୟ ଦୂର କରିବା ସହ ମହିଳାମାନଙ୍କୁ ସ୍ବାବଲମ୍ବୀ ହେବାକୁ ପ୍ରେରଣା ମଧ୍ୟ ଦେଇଛନ୍ତି। ଲକ୍‌ଡାଉନରେ ଗଛ ଚଢ଼ିବା କୌଶଳ ସମ୍ପର୍କରେ ଶିକ୍ଷା ପାଇବା କଷ୍ଟକର ହୋଇଥିଲେ ବି ସେ ୟୁଟୁବ୍‌ରୁ କିଛି କୌଶଳ ହାସଲ କରିଛନ୍ତି। ଶ୍ରୀଦେବୀଙ୍କ ବାପା ବି ଜଣେ ନଡ଼ିିଆଗଛ ଚଢ଼ାଳି। ଗଛ ଉପରେ ସ୍ଥିର ରହିବା ଓ କେଉଁ ନଡ଼ିଆ ତେଳିବା ଯୋଗ୍ୟ ତାହା ଜାଣିବା ଲାଗି ସେ ବାପାଙ୍କଠାରୁ ପ୍ରଶିକ୍ଷଣ ନେଇ ଏହି ବୃତ୍ତିରେ ପାଦ ଥାପିଛନ୍ତିି। ଶ୍ରୀଦେବୀ କେରଳର ମାଲାପ୍ପୁରମ୍‌ରେ ସପରିବାର ରହନ୍ତି। ବୟସ ଏବେ ତାଙ୍କୁ ୨୫। ଇତିହାସରେ ସ୍ନାତକୋତ୍ତର ଡିଗ୍ରୀ ଶେଷ କରିବା ପରେ ଏନ୍‌ଏସ୍‌ଏସ୍‌ କଲେଜ, ଓଟାପ୍ପାଲମରେ ବି.ଏଡ୍‌ ପଢୁଥିଲେ। ଲକ୍‌ଡାଉନରେ ଘରକୁ ଫେରି ପରିବାରର ଶୋଚନୀୟ ଆର୍ଥିକ ଅବସ୍ଥା ଦୂର କରିବା ଲାଗି ସେ ନଡ଼ିଆଗଛ ଚଢ଼ୁଛନ୍ତି। ସୁରକ୍ଷା ପାଇଁ ଅନ୍‌ଲାଇନରେ କିଛି ଯନ୍ତ୍ରପାତି ବି ମଗାଇଛନ୍ତି। ପ୍ରତିଦିନ ତାଙ୍କ ବାପାଙ୍କ ସହ ନଡ଼ିଆ ଗଛ ଚଢ଼ିବା ପାଇଁ ଯାଉଛନ୍ତି। ଗୋଟିଏ ଗଛ ଚଢ଼ିଲେ ପାଉଛନ୍ତି ୪୦ ଟଙ୍କା। ଦୈନିକ ୮ରୁ ୯ଟି ନଡ଼ିଆଗଛ ଚଢୁଛନ୍ତି। ସେ ମଧ୍ୟ ଏକ ସେକେଣ୍ଡ୍‌ହ୍ୟାଣ୍ଡ୍‌ ଅଟୋ କିଣିିଛନ୍ତି ଓ ଏହାକୁ ଚଳାଇ ଦୂରକୁ ଗଛ ଚଢ଼ିବା ଲାଗି ଯାଉଛନ୍ତି। ଏହି କ୍ଷେତ୍ରକୁ ଅଧିକରୁ ଅଧିକ ମହିଳା ଆସିବା ଦରକାର ବୋଲି କହିଛନ୍ତି ଶ୍ରୀଦେବୀ। କଲେଜ ଖୋଲିବା ପରେ ସେ ପୁଣି ବି.ଏଡ୍‌. ଶେଷ କରି ଶିକ୍ଷକ ହେବା ଲାଗି ଲକ୍ଷ୍ୟ ରଖିଛନ୍ତି।