ଏଇ ଭାରତରେ

ଯେଉଁ ଦେଶ କୃଷି ଆଧାରିତ ଅର୍ଥବ୍ୟବସ୍ଥାରୁ ଆରମ୍ଭ କରି ଆର୍ଥିକ ମହାଶକ୍ତି ହେବା ଯାଏ ଏକ ଅଭିଯାନ ଚଳାଇଛି; ସେଠାରେ ସ୍ବଦେଶୀ, ସ୍ବରାଜ ଓ ଆମତ୍ନିର୍ଭରତାର ମହାମନ୍ତ୍ର ସେତେ ଗଭୀରତାକୁ ଯିବାରେ ଲାଗିଛି। ଏହା ଆଜି ବି ପ୍ରାସଙ୍ଗିକ ମନେହେଉଛି ଓ ଆଗକୁ ମଧ୍ୟ ରହିବ, ଯାହା ଦେଖାଯାଇଛି ମଧ୍ୟପ୍ରଦେଶର ବେଟୁଲ ଜିଲା ଅନ୍ତର୍ଗତ ମଲିୟାଟାଣା ଗାଁରେ। ଏହି ଆଦିବାସୀ ବହୁଳ ଗାଁର ଲୋକେ ଦୃଢ଼ ସଂକଳ୍ପ ନେଇ ୩ କିଲୋମିଟର ରାସ୍ତା ନିର୍ମାଣ କରିବାରେ ଲାଗିଛନ୍ତି। ଉକ୍ତ ରାସ୍ତା ସେମାନଙ୍କୁ ଆମତ୍ନିର୍ଭର କରିବା ତଥା ବିକାଶର ମୁଖ୍ୟଧାରାରେ ଯୋଡ଼ିବାରେ ସହାୟକ ହେବ। ସଙ୍କଳ୍ପ ପୂରଣ କରିବାକୁ ଗାଁର ପିଲାଠୁ ବୁଢାଯାଏ ସଭିଏଁ କାମରେ ଲାଗିଛନ୍ତି। କାମ ଏତେ ସହଜ ନୁହେଁ, ହେଲେ ସେମାନେ ପାହାଡ଼କୁ ଭାଙ୍ଗି ସମତଳ କରି ରାସ୍ତା ନିର୍ମାଣ କରୁଛନ୍ତି। ବେଟୁଲ ଜିଲା ଭୀମପୁର ବ୍ଲକର ଚୁନାଲୋହମା ପଞ୍ଚାୟତର ଏହି ଗାଁ ତାପ୍ତି ନଦୀ କୂଳରେ ଅବସ୍ଥିତ। ମଲିୟାଟାଣାରୁ ଚୁନାଲୋହମା ପହଞ୍ଚିବାକୁ କୌଣସି ରାସ୍ତା ନାହିଁ। ଲୋକମାନେ ପାହାଡ଼ ଚଢ଼ି ନଈ ପାର ହୋଇ ଯାଇଥାନ୍ତି। ରୋଗୀମାନଙ୍କୁ ମେଡ଼ିକାଲ ନେବାରେ ବି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଗାଁକୁ ରାସ୍ତା ନ ଥିବାରୁ ଆଜିଯାଏ କୌଣସି ଲୋକପ୍ରତିନିଧି ଗାଁରେ ପହଞ୍ଚି ପାରିନାହାନ୍ତି। ସବୁ ଅସୁବିଧା ଦୂର କରିବା ଲାଗି ସେମାନେ ରାସ୍ତା ତିଆରି କରିବାରେ ଲାଗିଛନ୍ତି। ଗାଁଲୋକେ ଚାନ୍ଦା କରି ହାତୁଡ଼ି ଓ ଶାବଳ କିଣିଛନ୍ତି। ଏମାନେ ଏବେ ୧ କି.ମି. ରାସ୍ତା ନିର୍ମାଣ କରିସାରିଲେଣି।