ଏଇ ଭାରତରେ

ଯେତେ ପ୍ରତିକୂଳ ପରିସ୍ଥିତି ଆସିଲେ ବି କିଛି ଲୋକ ହାର୍‌ ମାନନ୍ତି ନାହିଁ। ଏମିତି ଏକ ଉଦାହରଣ ହେଉଛନ୍ତି ବିହାର ପାଟନାର ରଗ୍‌ବି ଷ୍ଟାର ରାହୁଲ କୁମାର। ବିହାର ପାଇଁ ଅନେକ ଗୌରବ ଆଣିଥିବା ରଗ୍‌ବି ଷ୍ଟାର୍‌ ରାହୁଲ ଲକ୍‌ଡାଉନ୍‌ ପାଇଁ ନିଜର ରୋଜଗାର ହରାଇଥିଲେ। ରଗ୍‌ବି ଷ୍ଟାର ହେବା ସତ୍ତ୍ୱେ ତାଙ୍କୁ ଅନ୍ୟ କୌଣସି ସଂସ୍ଥା କିମ୍ବା ସରକାରଙ୍କ ଠାରୁ ମଧ୍ୟ ସାହାଯ୍ୟ ମିଳି ନ ଥିଲା। ପରିବାରର ଦଶପ୍ରାଣୀ କୁଟୁମ୍ବ ତାଙ୍କ ଉପରେ ନିର୍ଭରଶୀଳ ଥିବାରୁ ଏବେ ଭୋକ ଉପାସରେ ଦିନ କାଟୁଛନ୍ତି। କିନ୍ତୁ ଏହି ସମୟରେ ବି ନିଜ ଧୈର୍ଯ୍ୟ ହରାଇ ନାହାନ୍ତି ରାହୁଲ। ଲକ୍‌ଡାଉନ୍‌ରେ ସେ ଗରିବ ପିଲାମାନଙ୍କୁ ମାଗଣାରେ ରଗ୍‌ବି ପ୍ରଶିକ୍ଷଣ ଦେଉଛନ୍ତି। ମାତ୍ର ୧୦ ବର୍ଷ ବୟସରୁ ରାହୁଲ ରଗ୍‌ବି ଖେଳି ଅନେକ କୃତିତ୍ୱ ଅର୍ଜନ କରିଛନ୍ତି। ବିଭିନ୍ନ ଜାତୀୟ ତଥା ଅନ୍ତର୍ଜାତୀୟ ଖେଳରେ ଭାଗ ନେଇ ସେ ରାଜ୍ୟ ପାଇଁ ଅନେକ ଥର ସ୍ବର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିଛନ୍ତି। ପେଟପାଟଣା ପାଇଁ ଏବେ ସେ ଋଣ କରି ଗାଁରେ ପରିବାର ସହ ମିଶି ଚାଷ କରୁଛନ୍ତି। କିନ୍ତୁ ରଗ୍‌ବି ନିଶାକୁ ଛାଡ଼ିପାରିନାହାନ୍ତି। ପିଲାମାନଙ୍କୁ ଶିକ୍ଷା ଦେବା ପାଇଁ ସେ ସ୍ଥାନୀୟ ଅଞ୍ଚଳରେ ଏକ ରଗ୍‌ବି ସ୍କୁଲ ଖୋଲିବା ପାଇଁ ମଧ୍ୟ ବାରମ୍ବାର ଆବେଦନ କରୁଛନ୍ତି। ମୁଜାଫରପୁର ଓ ପାଟନାରେ ରଗ୍‌ବି ସ୍କୁଲ ଖୋଲିଗଲେ ଅନେକ ସମସ୍ୟାର ସମାଧାନ ହୋଇଯିବ ବୋଲି ସେ କହନ୍ତି।