ଏଇ ଭାରତରେ

ପକ୍ଷୀମାନଙ୍କୁ ଭଲ ପାଉଥିବା ମହାରାଷ୍ଟ୍ରର ପରିବେଶବିତ୍‌ ମିନୀଷ ରାଜନ୍‌କର ୬୩ଟି ହ୍ରଦର ପୁନରୁଦ୍ଧାର କରିଛନ୍ତି। ଏହାଦ୍ୱାରା ବହିରାଗତ ପକ୍ଷୀମାନଙ୍କ ଆଗମନ ବଢ଼ିିବା ସହ ଆଦିବାସୀଙ୍କ ଜୀବନ ଜୀବିକାରେ ପରିବର୍ତ୍ତନ ଆସିପାରିଛି। ଏବେ ସୁଦ୍ଧା ମିନୀଷ ଗୋଣ୍ଡିଆ ଓ ଭାନ୍ଦ୍ରା ଜିଲାର ୪୩ ଗାଁରେ ୬୩ଟି ହ୍ରଦର ପୁନରୁଦ୍ଧାର ଶେଷ କରିଛନ୍ତି। ଉକ୍ତ ଜିଲାର ବିଭିନ୍ନ ହ୍ରଦକୁ ବାହାରୁ ବହୁ ପକ୍ଷୀଙ୍କ ଆଗମନ ହୋଇଥାଏ। କିନ୍ତୁ ହ୍ରଦଗୁଡ଼ିକର ଅବସ୍ଥା ଭଲ ନ ଥିବାରୁ ପକ୍ଷୀମାନେ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏହା ଲକ୍ଷ୍ୟ କରି ମିନୀଷ ହ୍ରଦଗୁଡିକର ପୁନରୁଦ୍ଧାର କାର୍ଯ୍ୟ ହାତକୁ ନେଇଥିତ୍ଲେ। ସେ ଏକ ବେସରକାରୀ ସଂସ୍ଥା ମାଧ୍ୟମରେ ଏହି କାର୍ଯ୍ୟ କରିବାକୁ ସକ୍ଷମ ହୋଇଛନ୍ତି। ଏହାଦ୍ୱାରା ସ୍ଥାନୀୟ ଆଦିବାସୀମାନେ ଜଳସେଚନର ସୁବିଧା ପାଇବା ସହ ସେଥିରେ ସେମାନେ ମାଛଚାଷ କରୁଛନ୍ତି। ମୁଖ୍ୟତଃ ହ୍ରଦରୁ ଲୋପ ପାଇଯାଇଥିବା ଦେଶୀମାଛ ଚାଷ ଉପରେ ସେମାନେ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ଦୁଇ ଜିଲାରେ ୧୨ଟି ଫିଶିଂ କୋ-ଅପରେଟିଭ ସୋସାଇଟି ଗଠନ କରିଛନ୍ତି ମିନୀଷ। ଏହାବାଦ ସେ ଆଦିବାସୀମାନଙ୍କ ସହାୟତାରେ ହ୍ରଦ ଚାରିପାଖରେ ଗଛ ଲଗାଉଛନ୍ତି। ୨୦୦୯ ରେ ସେ ପ୍ରଥମେ ନବତଲାବ (ହ୍ରଦ)ର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।