ଏଇ ଭାରତରେ

ବାଘ ନାଁ ଶୁଣିଲେ ଭୟ ଲାଗେ, କିନ୍ତୁ ଲଦାଖର ଖେନରାବ ଫୁନ୍‌ଷ୍ଟୋଗଙ୍କ ବରଫ ଚିତାବାଘ ଉଦ୍ଧାର କରିବାରେ ଲାଗିଛନ୍ତି। ଖାଲି ହାତରେ ଅର୍ଥାତ ଆମତ୍ ରକ୍ଷା ପାଇଁ ସାଙ୍ଗରେ କୌଣସି ସରଞ୍ଜାମ ନ ନେଇ ସେ ବରଫ ଚିତାଙ୍କୁ ଉଦ୍ଧାର କରୁଛନ୍ତି। ଏବେ ସୁଦ୍ଧା ସେ ୪୭ଟି ବାଘ ଉଦ୍ଧାର କରିସାରିଲେଣିି। ତାଙ୍କୁ ବର୍ତ୍ତମାନ ବୟସ ୪୨। ରହନ୍ତି ହେମିସ ନ୍ୟାଶ୍‌ନାଲ ପାର୍କ ମଧ୍ୟରେ ଥିତ୍ବା ଗାଁ ଛିଲିଙ୍ଗରେ। ୨୨ ବର୍ଷ ବୟସରେ ସେ ହେମିସ ନ୍ୟାଶ୍‌ନାଲ ପାର୍କର ଓ୍ବାଇଲ୍ଡ ଲାଇଫ୍‌ ଗାର୍ଡ ଭାବେ ଯୋଗ ଦେବା ପରେ ଏତେ ସଂଖ୍ୟକ ଚିତାଙ୍କୁ ଉଦ୍ଧାର କରି ପୁରସ୍କୃତ ବି ହୋଇଛନ୍ତି। ତାଙ୍କୁ ‘ସେଭ୍‌ ଦି ସ୍ପେସିଶ ଆଓ୍ବାର୍ଡ’ ମିଳିଛି। ବାସ୍ତବରେ ସେ ଲାଇଫ ହିରୋ। ଚାକିରିରେ ଯୋଗ ନ ଦେବା ପୂର୍ବରୁ ପ୍ରଥମେ ୧୯୯୫ରେ ଚିତାବାଘ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଯେଉଁ ଗାଁରେ ଚିତା ପଶନ୍ତି ସେଠାକୁ ଯାଇ ସେ ବିନା ସରଞ୍ଜାମରେ ସେମାନଙ୍କୁ ଧରିଥାନ୍ତି। କେବଳ ଅଖା, ବାଡି ଓ ଦଉଡି ବ୍ୟବହାର କରନ୍ତି। ଯେଉଁଠି ଚିତାଙ୍କୁ ଉଦ୍ଧାର କରିବାରେ ଟ୍ରାଙ୍କୁଲାଇଜର ବ୍ୟବହାର କରାଯାଏ ସେଠାରେ ସେ ଖାଲି ହାତରେ ଧରୁଛନ୍ତି। ଉଦ୍ଧାର କରିବା ପରେ ପୁଣି ସେମାନଙ୍କୁ ଜଙ୍ଗଲରେ ଛାଡି ଦିଆଯାଉଛି। ଝୁଲନ୍ତା ଶିଳାଖଣ୍ଡ,ପାହାଡ ମଧ୍ୟରେ ଥିବା ଗଭୀର, ତୀକ୍ଷ ପାହାଡ ଆଦି ଅତି ଦୁର୍ଗମ ସ୍ଥାନମାନଙ୍କରେ ସେ ଚିତାଗଣନା ଓ ସୁରକ୍ଷା ଲାଗି କ୍ୟାମେରା ମଧ୍ୟ ଲଗାଉଛନ୍ତି। ଚିତାବାଘଙ୍କ ପାଦ ଚିହ୍ନ, ନଖରେ ବରଫଙ୍କୁ ଆଞ୍ଚୁଡିବା, ମଳ ଏବଂ ଶିକାର କରିଥିବା ଜୀବଙ୍କ ଅବଶେଷକୁ ଲକ୍ଷ୍ୟ କରି ଚିତାର ଉପସ୍ଥିତି ଜାଣିବାରେ ସେ ଧୁରନ୍ଧର।