ଏଇ ଭାରତରେ

ମଣିପୁରର ଜଣେ ବ୍ୟକ୍ତି ହର୍ବାଲ ଚା’ ଚାଷ କରି ୨୦୦୦ ଗରିବ ଲୋକଙ୍କୁ ନିଯୁକ୍ତି ଦେଇ ସେମାନଙ୍କ ଜୀବନ ଧାରାରେ ପରିବର୍ତ୍ତନ ଆଣିପାରିଛନ୍ତି। ଇମ୍ଫାଲ୍‌ରେ ରହୁଥିବା ୪୪ ବର୍ଷୀୟ ରାଜେଶ କିଶାମ ଏଭଳି କାର୍ଯ୍ୟ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସେ ମୁଖ୍ୟତଃ ଲେମନଗ୍ରାସ୍‌ ଟି ଉପତ୍ାଦନ କରୁଛନ୍ତି ଯାହା ସମ୍ପୂର୍ଣ୍ଣ ଭିନ୍ନ। ଯେଉଁ ଜମିରେ ଲୋକମାନେ ବେଆଇନ ଭାବେ ଗଞ୍ଜେଇ ଓ ଅଫିମ ଚାଷ କରୁଥିଲେ ସେ ସେମାନଙ୍କୁ ସେହି ଚାଷରୁ ନିବୃତ କରୁଛନ୍ତି। ସେମାନଙ୍କୁ ନିଶା ସେବନରୁ ମୁକ୍ତ କରିବାର ପ୍ରୟାସ ଜାରି ରଖିଛନ୍ତି। ଜମିକୁ ଲିଜରେ ନେଇ ଚାଷ କରି ସେମାନଙ୍କୁ ପ୍ରାପ୍ୟ ଦେଉଛନ୍ତି। ପ୍ରଥମେ ରାଜେଶ ୧ ଏକର ଜମିରେ ଚାଷ ଆରମ୍ଭ କରି ଏବେ ୩୫୦ ଏକର ପର୍ଯ୍ୟନ୍ତ ଏହାକୁ ବଢାଇପାରିଛନ୍ତି। ମଣିପୁରର ୪ଟି ଜିଲାରେ ସେ ଏହି ଚାଷ କରୁଛନ୍ତି। ସେ ଯେଉଁଠାରେ ଫାର୍ମ କରୁଛନ୍ତି ସେଠାକାର ଗରିବ ଲୋକମାନଙ୍କୁ ହିଁ ତାଙ୍କ ଫାର୍ମରେ ନିଯୁକ୍ତି ଦେଉଛନ୍ତି। ଏଭଳି ନିଯୁକ୍ତି ପାଇଥିବା ୨,୦୦୦ ଲୋକଙ୍କୁ ଚାଷ, ପ୍ୟାକେଜିଂ ଓ ସେଲିଂ କାର୍ଯ୍ୟରେ ଲଗାଇଛନ୍ତି। ଯାହାଙ୍କ ଜମିକୁ ସେ ଲିଜ୍‌ ନେଉଛନ୍ତି ତାଙ୍କୁ ଫାର୍ମର ଦାୟିତ୍ୱରେ ରଖୁଛନ୍ତି। ବର୍ଷକୁ ଏଥିତ୍ରୁ ସେ ୮ କୋଟି ଟଙ୍କା ରୋଜଗାର କରୁଛନ୍ତି। ୯ ବର୍ଷ ହେବ ସେ ଏହି ଚାଷ କରୁଛନ୍ତି ଓ ତାଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ଆଗ୍ରୋମି କମ୍ପାନୀ ଦ୍ୱାରା ଏହାର ପରିଚାଳନା କରୁଛନ୍ତି।