ଏଇ ଭାରତରେ

୧୦୫ ବର୍ଷ ବୟସରେ ଜଣେ ମହିଳା ଚାଷ କରିବା କଥା କେବେ ଚିନ୍ତା କରିପାରୁଛନ୍ତି। ହେଲେ ଏହା ସମ୍ଭବ ହୋଇଛି ପାପ୍ପାମଲ୍‌ଙ୍କ ଦ୍ୱାରା। ତାମିଲନାଡୁର ଏହି ମହିଳା ଜଣକ ୧୯୧୪ରେ ଦେଭାଲପୁରମ୍‌ରେ ଜନ୍ମଗ୍ରହଣ କରିଥିଲେ। ପିଲାଦିନେ ମାତାପିତାଙ୍କୁ ହରାଇବା ପରେ କୋଏମ୍ବାଟୁର ଜିଲାର ଟେକାମପଟ୍ଟିରେ ତାଙ୍କ ମାମୁ ଘରେ ବଢ଼ିଥିଲେ। ପରେ ସେ ସେଇଠି ରହି ଚାଷ କାମ ଶିଖିଥିଲେ। ସଂଖ୍ୟା ଗଣିବା ଓ ମିଶାଇବା ବ୍ୟତୀତ ଅଧିକ ପଢ଼ିନାହାନ୍ତି। ତାଙ୍କ ଆଈଙ୍କ ଦେହାନ୍ତ ପରେ ସେ ଏକ ଗ୍ରସେରି ଦୋକାନ କରି ପରିବାର ଚଳାଇଲେ। ଯାହା ଆୟ କଲେ ସେଥିରେ ସେ ୧୦ ଏକର ଜମି କିଣି ଚାଷ ଆରମ୍ଭ କରି ୬୦ ବର୍ଷ ହେବ ଚାଷ କରୁଛନ୍ତି। ପ୍ରଥମେ ସେ ବିଭିନ୍ନ ପ୍ରକାର ଶସ୍ୟ ତଥା ପନିପରିବା ଚାଷ ଆରମ୍ଭ କରିଥିଲେ। ଚାଷ ସମ୍ବନ୍ଧରେ ତାମିଲନାଡୁ କୃଷି ବିଶ୍ୱବିଦ୍ୟାଳୟରୁ ସେ ପ୍ରଶିକ୍ଷଣ ଲାଭକରିବା ସହ ‘ଶ୍ରେଷ୍ଠ ଚାଷୀ’ର ସମ୍ମାନ ମଧ୍ୟ ପାଇଛନ୍ତି। ଉକ୍ତ କୃଷି ବିଶ୍ୱବିଦ୍ୟାଳୟରେ ଚାଷ ସମ୍ପର୍କରେ ମଧ୍ୟ ତଙ୍କର ଡିବେଟ୍‌ ଉପସ୍ଥାପନ କରିଛନ୍ତି। ୧୯୫୯ରେ ସେ ପ୍ରଥମେ ଟେକାମପଟ୍ଟି ପଞ୍ଚାୟତର ମୁଖ୍ୟ ଭାବେ ନିର୍ବାଚିତ ହୋଇଥିଲେ। ସମୟକ୍ରମେ ୧୦ ଏକର ଜମିରୁ କିଛି ବିକ୍ରି କରିବା ପରେ ଏ ବୟସରେ ୨.୫ ଏକର ଜମିରେ ବୈଜ୍ଞାନିକ ପଦ୍ଧତିରେ ଚାଷ କରୁଛନ୍ତି। ପ୍ରତିଦିନ ବିଲକୁ ଯାଉଛନ୍ତି ଓ ଶାରୀରିକ ପରିଶ୍ରମ କରୁଛନ୍ତି। ଦୁଇଟି ବିଶ୍ୱଯୁଦ୍ଧ, ଭାରତର ସ୍ବାଧୀନତା, ଏକାଧିକ ପ୍ରାକୃତିକ ବିପର୍ଯ୍ୟୟ ତଥା ଏକକାର କୋଭିଡ୍‌-୧୯ ମହାମାରୀକୁ ଦେଖିଥିବା ପାପ୍ପାମଲ କୁହନ୍ତି, କୃଷିକ୍ଷେତ୍ରରେ ଯୁବପିଢ଼ି ଅଧିକ ସାମିଲ ହେଲେ ଦେଶ ଆଗକୁ ବଢ଼ିବ। ୧୦୫ ବର୍ଷ ବୟସରେ ତାଙ୍କ ରକ୍ତଚାପ ଓ ସୁଗାର ସ୍ତର ଶତପ୍ରତିଶତ ନର୍ମାଲ ରହିଛି। କଠିନ ପରିଶ୍ରମ ଦ୍ୱାରା ସବୁକିଛି ହାସଲ କରିହୁଏ ଓ ବୟସ କୌଣସି ଲକ୍ଷ୍ୟରେ ପହଞ୍ଚିବାରେ ବାଧକ ସାଜେନି ବୋଲି କହନ୍ତି ପାପ୍ପାମଲ।