ଏଇ ଭାରତରେ

ଆଜିକାଲି ଅନେକ ଅପରାଧମୂଳକ ଘଟଣା ଘରର ଚାରିକାନ୍ଥ ଭିତରେ ଘଟୁଥଲେ ବି ଏହା ଲୋକଲୋଚନକୁ ଆସିପାରେ ନାହିଁ। ଗୋଟିଏ ପରିବାରରେ ଶାଶୁଙ୍କୁ ବୋହୂ ପିଟୁଥିବାବେଳେ ନାତୁଣୀ ଏହି ଘଟଣାର ଭିଡିଓ ରେକର୍ଡିଂ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏପରି ଏକ ଘଟଣା ଘଟିଛି ହରିୟାଣା ଅନ୍ତର୍ଗତ ମହେନ୍ଦ୍ରଗଡ଼ର ନିଓ୍ବାଜ ନଗରରେ। ସେଠାରେ ରହୁଥିବା ଜଣେ ବୋହୂ ତାଙ୍କ ବୟସ୍କା ଶାଶୁଙ୍କୁ ଅତି ନିର୍ମମ ଭାବେ ବାଡେଇବାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ତେବେ ବୋହୂ ଶାଶୁଙ୍କୁ ବାଡେଇବା ସମୟରେ ନାତୁଣୀ ଏହାର ଭିଡିଓ ରେକର୍ଡିଂ କରିଦେଇଥିଲେ। ଏବେ ଏହା ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେବା ସହିତ ଖୁବ୍‌ ଚର୍ଚ୍ଚା ହେଉଛି। ଖବର ପାଇ ପୋଲିସ ଘଟଣାର ଯାଞ୍ଚ କରିବା ସହିତ ବୃଦ୍ଧାଙ୍କୁ ଚିକିତ୍ସା ସୁବିଧା ଯୋଗାଇଦେଇଛି। ଏହାପରେ ବୃଦ୍ଧା ଜଣକ ଯେଉଁଠି ରହିବାକୁ ଇଚ୍ଛା ପ୍ରକାଶ କରିବେ ତାଙ୍କୁ ସେହିଠାରେ ଛାଡି ଦିଆଯିବ ବୋଲି ପୋଲିସ କହିଛି। ଅନ୍ୟପଟେ ଘଟଣାର ସତ୍ୟାସତ୍ୟ ଜଣାପଡିବା ପରେ ବୋହୂଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପ୍ରତିଶ୍ରୁତି ଦେଇଛି।