ଏଇ ଭାରତରେ

ସ୍କ୍ରାପରୁ ନୂଆଯନ୍ତ୍ର ତିଆରି କରି ଚାଷୀଙ୍କୁ ସାହାଯ୍ୟ କରୁଛନ୍ତି ତେଲଙ୍ଗାନାର ଅଶୋକ ଗୋରେ। ଯେଉଁ ସମୟରେ ପଢ଼ା ଉପରେ ଧ୍ୟାନଦେବା କଥା ସେ ସମୟରେ ଅଶୋକ କୃଷି ଓ କୃଷକଙ୍କ ବିକାଶ ଚିନ୍ତା କରୁଛନ୍ତି। ସୁର୍ଯ୍ୟପେଟ ଜିଲାର ଏହି ବାଳକ ୧୭ ବର୍ଷ ବୟସରେ ସ୍କ୍ରାପରୁ ଯନ୍ତ୍ର ନିର୍ମାଣ କରି ଗାଁର ୧୭ ଜଣ ଚାଷୀଙ୍କୁ ସାହାଯ୍ୟ କରୁଛନ୍ତି। ସ୍କୁଲରେ ପଢିବାବେଳେ ତାଙ୍କ ଘର ଚାରିପାଖରୁ ସ୍କା୍ରପ୍‌ ସବୁ ସଂଗ୍ରହ କରି ଯନ୍ତ୍ର ତିଆରି କରିବା ଆରମ୍ଭ କରିଥିଲେ। ଷଷ୍ଠ ଶ୍ରେଣୀରେ ପଢ଼ିବାବେଳେ ସେ ପାଇପ୍‌, ସିରିଞ୍ଜ ଓ ସ୍ପ୍ରିଙ୍ଗରେ ଏକ ଜେସିବି ମଡେଲ ନିର୍ମାଣ କରି ପୁରସ୍କୃତ ହୋଇଥିଲେ। ଏବେ ସେ ଦ୍ୱାଦଶ ପାସ୍‌ କରିସାରିଛନ୍ତି। ବହୁ କାର୍ଯ୍ୟରେ ଉପଯୋଗ ହୋଇପାରୁଥିବା ଏକ ଫୋର-ଇନ୍‌-ଓ୍ବାନ ଯନ୍ତ୍ର ନିର୍ମାଣ କରିଛନ୍ତି। ଲୁହା ରଡ୍‌, ଗୋଟିଏ ପୁରୁଣା ସାଇକେଲ ଚକ ଓ ବୋଲ୍ଟରେ ଏହା ତିଆରି ହୋଇଛି। ଏଥିରେ ଧାନ କାଟିବା, ଗୋଟାଇବା କାର୍ଯ୍ୟ କରାଯାଉଛି। ଯନ୍ତ୍ରରେ ବ୍ୟବହୃତ ସ୍କ୍ରାପ୍‌ଗୁଡ଼ିକୁ ଯୋଡ଼ିବା ଲାଗି ଗାଁ ନିକଟରେ ଥିବା ଓ୍ବେଲ୍‌ଡରଙ୍କ ସହଯୋଗ ନେଇଛନ୍ତି। ଏହି ଯନ୍ତ୍ରର ଦାମ ରଖିଛନ୍ତି ୧୭୦୦ ଟଙ୍କା। ଏହାଲାଗି ତାଙ୍କୁ ଇଣ୍ଟରନ୍ୟାଶନାଲ ସାଇନ୍ସ ଫେଷ୍ଟିଭାଲ ଦ୍ୱାରା ଆୟୋଜିତ ଷ୍ଟୁଡେଣ୍ଟସ୍‌ ଇଞ୍ଜିନିୟରିଂ ମଡେଲ କମ୍ପିଟିଶନରେ ପ୍ରଥମ ପୁରସ୍କାର ମିଳିଛି। ଏହାଦ୍ୱାରା କୃଷିରେ ଶ୍ରମ ଓ ଯାନ୍ତ୍ରିକ ବ୍ୟୟ କମ୍‌ ହେବ ବୋଲି କହିଛନ୍ତି ଅଶୋକ। ଲକ୍‌ଡାଉନରେ ସାଇକେଲ ବ୍ରେକ୍‌, ସ୍ପ୍ରିଙ୍ଗ ଓ ଲୁହା ରଡ୍‌ରେ ଏକ ଘାସ ବଛା ଯନ୍ତ୍ର ତିଆରି କରିଛନ୍ତି, ଯାହା ଧାନ ବିଲରୁ ସହଜରେ ଘାସ ବାଛିପାରୁଛି।