ଏଇ ଭାରତରେ

ଶୀତର ଆଗମନ ପୂର୍ବରୁ ପଞ୍ଜାବ, ହରିୟାଣା ଓ ଦିଲ୍ଲୀ ଆଦି ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ନଡ଼ାପୋଡ଼ି ଯୋଗୁ ପରିବେଶ ପ୍ରଦୂଷିତ ହୋଇଥାଏ। ମୁଖ୍ୟତଃ ଦିଲ୍ଲୀର ବାୟୁମଣ୍ଡଳ ସବୁଠୁ ବେଶି ପ୍ରଭାବିତ ହୁଏ। ଏହା ଉପରେ ଆଇନଗତ କଟକଣା ରହିଥିଲେ ବି ନଡ଼ାପୋଡିି ଅଭ୍ୟାସରୁ ଚାଷୀମାନେ ଓହରିବା ଲକ୍ଷ୍ୟ କରାଯାଉନାହିଁ। କିନ୍ତୁ ଏହି ସମସ୍ୟା ଦୂର କରିବା ପାଇଁ ହରିୟାଣାର ଫାର୍ସମଜରା ଗାଁର ଚାଷୀ ବୀରେନ୍ଦ୍ର ଯାଦବ ଆଗକୁ ଆସିଛନ୍ତି। ତାଙ୍କ ବୟସ ଏବେ ୩୨। ସେ ନଡ଼ା ପୋଡି ରୋକିବା ସହ ସେଥିରୁ ୪୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। କେବଳ ଏତିକି ନୁହେଁ, ବୀରେନ୍ଦ୍ର ଆଖପାଖ ୮ଟି ଗାଁରେ ପ୍ରାୟ ୨୦୦ ଚାଷୀଙ୍କୁ ଉତ୍ସାହିତ କରିଛନ୍ତି। କଇଥାଲ ସହରର ନିକଟବର୍ତ୍ତୀ ଫାର୍ସମଜରା ସମେତ ଅନ୍ୟ ଗାଁର ଚାଷୀମାନଙ୍କ ବିଲରୁ ଆଉ ଧୂଆଁ ଉଠୁନାହିଁ। ବୀରେନ୍ଦ୍ର ହସ୍ପିଟାଲିଟି ଉପରେ ଶିକ୍ଷା ଲାଭ କରିବା ଲାଗି ଅଷ୍ଟ୍ରେଲିଆ ଯାଇଥିଲେ ଓ ଶିକ୍ଷା ଶେଷ କରି ସେଠାରେ ଚାକିରି କରିଥିଲେ। କିନ୍ତୁ ୨୦୧୫ରେ ସେଠାରୁ ନଡ଼ାପୋଡି ସମସ୍ୟାର ଏକ ଦୀର୍ଘମିଆଦୀ ସମାଧାନ କରିବା ଲାଗି ଚାହିଁଥିଲେ। ପରେ ୨୦୧୯ରେ ଗୋଟିଏ ଓ ୨୦୨୦ରେ ଦୁଇଟି ସ-ବଲେର୍‌ ମେଶିନ ଆଣି ବିଲରୁ ନଡ଼ା ଗୋଟାଇ ବିଡ଼ା ବାନ୍ଧି ତାହାକୁ ଫ୍ୟାକ୍ଟ୍ରିକୁ ବିକ୍ରି କରିବା ଆରମ୍ଭ କରିଥିଲେ। ୨୦୧୯ରେ ୬୦,୦୦୦ କୁଇଣ୍ଟାଲ ନଡ଼ା ବିକ୍ରି କରିଥିବାବେଳେ ଚଳିତ ବର୍ଷ ଏଯାବତ ୫,୫୦୦ ଏକର ଜମିରୁ ଏହା ସଂଗ୍ରହ କରି ୪୮,୦୦୦ କୁଇଣ୍ଟାଲ ନଡ଼ା ବିକ୍ରି କରିଛନ୍ତି। ପେପର ମିଲ୍‌ ଓ ଆଗ୍ରୋ ଇଣ୍ଡଷ୍ଟ୍ରିକୁ ସେ କୁଇଣ୍ଟାଲ ପ୍ରତି ୧୩୫ଟଙ୍କା ମୂଲ୍ୟରେ ବିକୁଛନ୍ତି। ଦୁଇ ବର୍ଷ ମଧ୍ୟରେ ସେ ୧.୫ କୋଟି ଟଙ୍କାର ନଡ଼ା ବିକ୍ରି କରି ଲାଭ ପାଇଛନ୍ତି ୪୫ ଲକ୍ଷ ଟଙ୍କା। ବୀରେନ୍ଦ୍ର ଏହି କାର୍ଯ୍ୟ ଲାଗି ଏବେ ରୋଲ୍‌ମଡେଲ ପାଲଟିଛନ୍ତି। ଏଭଳି ପଦ୍ଧତି ପ୍ରତି ଶହ ଶହ ଚାଷୀ ଆକୃଷ୍ଟ ହେଉଛନ୍ତି ବୋଲି କହନ୍ତି ବୀରେନ୍ଦ୍ର।