ଏଇ ଭାରତରେ

ଶବଦାହ ନିମନ୍ତେ ସବୁ ଅଞ୍ଚଳରେ ଶ୍ମଶାନ ଥିବା କଥା ପ୍ରାୟ ସମସ୍ତେ ଜାଣିଥିବେ। କିନ୍ତୁ କୁକୁରଙ୍କ ପାଇଁ ବି ଶ୍ମଶାନ ଅଛି ଏକଥାକୁ ପ୍ରାୟତଃ କେହି ଜାଣି ନ ଥିବେ! କୁକୁରଙ୍କ ପାଇଁ ଏଭଳି ଏକ ସ୍ବତନ୍ତ୍ର ଶ୍ମଶାନ ଏବେ ତିଆରି ହୋଇଛି ଦକ୍ଷିଣ ଦିଲ୍ଲୀ ନଗର ନିଗମ (ଏସ୍‌ଡିଏମ୍‌ସି)ରେ। ଏହି ଅଞ୍ଚଳର ଦ୍ୱାରକାରେ ଏଭଳି ଏକ ଶ୍ମଶାନ ତିଆରି କରାଯିବ। ପ୍ରାୟ ୭୦୦ ବର୍ଗ ମିଟର କ୍ଷେତ୍ରରେ କୁକୁରଙ୍କ ପାଇଁ ଶ୍ମଶାନ ତିଆରି କରିବା ନିମନ୍ତେ ନଗର ନିଗମ ଯୋଜନା କରିଛି। ଶ୍ମଶାନରେ କୁକୁରମାନଙ୍କୁ ଦାହ କରିବା ପରେ ସେମାନଙ୍କର ଅସ୍ଥିକୁ ବି ୧୫ ଦିନ ପର୍ଯ୍ୟନ୍ତ ସାଇତି ରଖିବା ପାଇଁ ବ୍ୟବସ୍ଥା କରାଯାଇଛି। ତେବେ କୁକୁରଙ୍କ ପାଇଁ ଏଭଳି ସ୍ବତନ୍ତ୍ର ବ୍ୟବସ୍ଥା ଫଳରେ କୁକୁର ପାଳିଥିବା ବ୍ୟକ୍ତିମାନେ ବେଶ୍‌ ଖୁସି ହୋଇଛନ୍ତି। କାରଣ ଆଜିକାଲି ପୋଷା କୁକୁରଙ୍କୁ ମଧ୍ୟ ଲୋକେ ପରିବାରର ସଦସ୍ୟ ଭଳି ଭାବୁଛନ୍ତି। ତେଣୁ କୁକୁରର ମୃତ୍ୟୁ ପରେ ତାକୁ ପାରମ୍ପରିକ ଢଙ୍ଗରେ ସ୍ବତନ୍ତ୍ର ସମ୍ମାନ ଦେବା ପାଇଁ ଅନେକେ ପ୍ରୟାସ କରୁଛନ୍ତି। ପଶୁମାନଙ୍କ ସହ ମଣିଷର ସମ୍ପର୍କ ଏବେ ଧୀରେ ଧୀରେ ବୃଦ୍ଧି ପାଉଥିବାରୁ କୁକୁରଙ୍କ ପାଇଁ ଶ୍ମଶାନ ନିର୍ମାଣ କରିବା ଏକ ସୁନ୍ଦର ପ୍ରୟାସ ବୋଲି ମତ ପ୍ରକାଶ ପାଇଛି।