ଏଇ ଭାରତରେ

ବର୍ଷା ପାଇଁ ବେଙ୍ଗ ବାହାଘର। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ। ବର୍ଷାର ଦେବତା ଇନ୍ଦ୍ରଙ୍କୁ ସନ୍ତୁଷ୍ଟ କରିବାକୁ କର୍ନାଟକର ଉଡୁପି ଜିଲାରେ ବେଙ୍ଗ ବାହାଘର କରାଯାଇଛି। ଶନିବାର ଉଡୁପି ନାଗରିକ ସମିତି ଏବଂ ପଞ୍ଚରତ୍ନ ସେବା ଟ୍ରଷ୍ଟ ଦ୍ୱାରା ଏପରି ଏକ ଅଣପାରମ୍ପରିକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ବିବାହ ଆୟୋଜନ କରିଥିବା ଟ୍ରଷ୍ଟ ସମ୍ପାଦକ ନିତ୍ୟାନନ୍ଦ ଓଲାକାଡୁଙ୍କ କହିବାନୁଯାୟୀ, ଇନ୍ଦ୍ରଙ୍କୁ ସନ୍ତୁଷ୍ଟ କରିବା ପାଇଁ ‘ମଣ୍ଡୁକ କଲ୍ୟାଣୋତ୍ସବ’ ପାଳନ କରାଯାଏ। ଆୟୋଜକମାନେ ୪ଟି ବେଙ୍ଗ ଧରିଆଣି ମଣିପାଲସ୍ଥିତ ପ୍ରାଣୀ ବିଜ୍ଞାନ ବିଭାଗକୁ ଦେଇଥିଲେ। ପ୍ରାଣୀତତ୍ତ୍ୱବିତ୍‌ମାନେ ଅଣ୍ଡିରା ଓ ମାଈ ବେଙ୍ଗ ଦୁଇଟି ଚିହ୍ନଟ କରିବା ପରେ ସେ ଦୁଇଟିକୁ ଶୋଭାଯାତ୍ରା କରି ବାହାଘର ପାଇଁ ନିଆଯାଇଥିଲା। ଜଣେ ସ୍ବେଚ୍ଛାସେବୀ ବେଙ୍ଗ ଦୁଇଟିକୁ ଆଳତି କରି ଆଣି ବାନ୍ଧିବା ସହିତ ମାଈ ବେଙ୍ଗ ଗୋଡରେ ମୁଦି ପିନ୍ଧାଇଥିଲେ। ବାହାଘର ନିମନ୍ତ୍ରଣପତ୍ର ମଧ୍ୟ ଛପାଯାଇଥିଲା। ଅତିଥିମାନଙ୍କୁ ନିମନ୍ତ୍ରଣ କରାଯାଇ ବର୍ଷା ଦେବତାଙ୍କୁ ପ୍ରାର୍ଥନା କରିବାକୁ କୁହାଯାଇଥିଲା। ବାହାଘର ପରେ ବେଙ୍ଗଦମ୍ପତିକୁ ମଣିପାଲସ୍ଥିତ ମନ୍ନପାଲ୍ଲରେ ଛାଡିଦିଆଯାଇଥିଲା। ବାହାଘର ପରେ ଆୟୋଜିତ ଭୋଜିରେ ଶହଶହ ଲୋକ ଯୋଗ ଦେଇଥିଲେ। ମୁଖ୍ୟ ଆୟୋଜକ ଓଲାକାଡୁଙ୍କ କହିବାନୁଯାୟୀ, ବେଙ୍ଗ ବାହାଘର ବିଧି ଦୀର୍ଘଦିନ ଧରି ପାଳନ କରାଯାଇ ଆସୁଛି। କର୍ନାଟକର ଉଡୁପି ଜିଲାରେ ବର୍ଷା ହେଉ ନ ଥିବାରୁ ଉତ୍କଟ ଜଳାଭାବ ଦେଖାଦେଇଛି। ବେଙ୍ଗ ବାହାଘର ହେଲେ ବର୍ଷା ହୋଇଥାଏ ବୋଲି ଅଞ୍ଚଳବାସୀଙ୍କ ଦୃଢ଼ ବିଶ୍ୱାସ ରହିଛି।