ଏଇ ଭାରତରେ

ଜୀବନ ଜୀବିକା ପଥରେ ସଫଳତାର ସହ ଆଗକୁ ବଢ଼ିବାରେ ଦିବ୍ୟାଙ୍ଗଙ୍କ ଦକ୍ଷତା କେବଳ ଈଶ୍ୱରଙ୍କ କୃପା ବୋଲି କହିବାକୁ ହେବ। ଏମିତି ଜଣେ ଦିବ୍ୟାଙ୍ଗ ହେଉଛନ୍ତି କେରଳର ସୁଧାକର କୁରୁପ। କେରଳର ପଥନାମଥିଟ୍ଟା ଜିଲା ଭାଲିକୋଡୁ ଗାଁରେ ଏକ ଷ୍ଟେସନେରୀ ଦୋକାନ ଦୀର୍ଘ ୪୬ ବର୍ଷ ହେବ ଚଳାଇ ସ୍ବାବଲମ୍ବୀ ହେବାର ପ୍ରେରଣା ପାଲଟିଛନ୍ତି। ସେ ୨୧ ବର୍ଷ ବୟସରେ ସମ୍ପୂର୍ଣ୍ଣ ଦୃଷ୍ଟିଶକ୍ତି ହରାଇଥିଲେ। ଦୃଷ୍ଟିବାଧିତ ସୁଧାକର ଦୋକାନ ଖୋଲିବା, ଗୋଦାମରୁ ଜିନିଷ ଆଣିବା, ଲୋକଙ୍କୁ ଜିନିଷ ଯୋଗାଇଦେବା ଓ ଟଙ୍କା ରଖିତ୍ବା କାର୍ଯ୍ୟ ନିଜେ ହିଁ କରୁଛନ୍ତି। ସୁଧାକରଙ୍କୁ ଏବେ ବୟସ ୬୯। ସେ ୨୨ ବର୍ଷ ବୟସରେ ଏହି ଦୋକାନ ଆରମ୍ଭ କରିଥିଲେ। ସେ ତାଙ୍କ ବନ୍ଧୁଙ୍କ ଅଟୋରେ ଗୋଦାମରୁ ଜିନିଷ ଆଣିଥାନ୍ତିି। ୪୬ ବର୍ଷ ତଳେ ସେ ଯେଉଁ ଥାକରେ ଯେଉଁ ଜିନିଷ ରଖୁଥିଲେ ଆଜି ବି ସେମିତି ରଖୁଛନ୍ତି; ଯାହା ଫଳରେ ସେଗୁଡ଼ିକୁ ପାଇବାରେ ତାଙ୍କୁ ଅସୁବିଧା ହେଉନାହିଁ। କେବଳ ୨୦୧୬ର ବିମୁଦ୍ରୀକରଣ ସମୟରେ କିଛିଦିନ ସମସ୍ୟାରେ ପଡିଥିଲେ ବୋଲି କହନ୍ତି ସୁଧାକର। ପରେ ସେ ନୂଆ ନୋଟ୍‌ର ଲମ୍ବ-ପ୍ରସ୍ଥ ଜାଣିବା ପରେ ଆଉ ସମସ୍ୟା ରହି ନ ଥିଲା। ତାଙ୍କୁ ଗ୍ରାମବାସୀ ‘କୋଚିଟାନ’ ବା ସାନଭାଇ ବୋଲି ସମ୍ବୋଧନ କରନ୍ତି। ଦୋକାନରେ ବିଭିନ୍ନ ଥାକରୁ ଜିନିଷ ଆଣି ଦେବାରେ ବିଳମ୍ବ ହେଲେ ବି ଗ୍ରାମବାସୀ ଧୈର୍ଯ୍ୟର ସହ ଅପେକ୍ଷା କରିଥାନ୍ତି। ଦୋକାନରେ ଥିତ୍ବା ୮୦ଟି ଥାକରୁ ଜିନିଷ ଆଣିବାରେ ତାଙ୍କୁ କୌଣସି ସମସ୍ୟା ହୁଏନାହିଁ। ଦିନ ରାତି ଯେତେବେଳେ ଯାହା ଚାହିଁଲେ ବି ତାଙ୍କ ଦୋକାନରୁ ଜିନିଷ ମିଳିଥାଏ, କାରଣ ସେ ଦୋକାନରେ ହିଁ ଶୋଇଥାନ୍ତି। ଦୋକାନରୁ ଯାହା ଲାଭ ହୁଏ ସେଥିରେ କିଛି ନୂଆ ଜିନିଷ କିଣନ୍ତି ଓ ଆଉ ସବୁ ପରିବାର ପିଛା ଖର୍ଚ୍ଚ କରନ୍ତି।