ଏଇ ଭାରତରେ

ମରୁଭୂମି ମଝିରେ ୫୦ ଡିଗ୍ରୀ ସେଲ୍‌ସିୟସ ତାପମାତ୍ରା ସହ ଝାଞ୍ଜିରେ ପିଲାମାନେ ପଢ଼ିବେ, ଏ କଥା ଶୁଣିଲେ ବିଶ୍ୱାସ କରିହେଉନି। କିନ୍ତୁ ଏହା ସତ। ଏଭଳି ଏକ ସ୍କୁଲ୍‌ ନିର୍ମାଣ କରାଯାଇଛି ରାଜସ୍ଥାନର ଥର୍‌ ମରୁଅଞ୍ଚଳରେ। ଆମେରିକାର ଏକ ବେସରକାରୀ ସଂସ୍ଥା ସିଟାର ପ୍ରତିଷ୍ଠାତା ମାଇକେଲ ଡଉବେଙ୍କ ସହଯୋଗ ଓ ଆମେରିକୀୟ ସ୍ଥପତି ଡାଏନା କେଲ୍ଲୋଗଙ୍କ ଡିଜାଇନକୁ ଆଧାର କରି ଏହି ସ୍କଲୁଟି ଗଢ଼ାଯାଇଛି। ପ୍ରଶାସନିକ ସହାୟତାରେ ଜୈସାଲ୍‌ମେର୍‌ର ସାମ୍‌ ଡୁନ୍‌ ନିକଟସ୍ଥ କନୋଇ ଗାଁରେ ଝିଅମାନଙ୍କୁ ଶିକ୍ଷା ଦେବା ଲକ୍ଷ୍ୟରେ ଏହା କରାଯାଇଛି। ସ୍କୁଲର ନାମ ରଖାଯାଇଛି ରାଜକୁମାରୀ ରନତ୍ବତୀ ଗଲର୍‌ସ ହାଇସ୍କୁଲ। ୟେଲୋ ସ୍ୟାଣ୍ଡ୍‌ ଷ୍ଟୋନରେ ଏହା ନିର୍ମାଣ କରାଯାଇଛି, ଯେଉଁଠାରେ ଏୟାର କଣ୍ଡିଶନର ଆବଶ୍ୟକ ପଡୁନାହିଁ। ସ୍କୁଲ ବାହାର ଓ ଭିତର କାନ୍ଥଗୁଡ଼ିକୁ ଲାଇମ୍‌ ପ୍ଲାଷ୍ଟର କରାଯାଇଛି। ସ୍କୁଲ୍‌ ଅଗଣାରେ ୩.୫ ଲକ୍ଷ ଲିଟର ପାଣି ସଂରକ୍ଷିତ କରି ରଖାଯିବାର ବ୍ୟବସ୍ଥା କରାଯାଇଛି। ୨୦୧୮ ଅକ୍ଟୋବରରେ ଏହି ସ୍କୁଲ ନିର୍ମାଣ ଆରମ୍ଭ କରାଯାଇଥିତ୍ଲା। ସ୍ଥାନୀୟ ଠିକାଦାର ଓ କାରିଗରମାନଙ୍କର ସ୍କୁଲ ନିର୍ମାଣ କରିବାରେ ମୁଖ୍ୟ ଭୂମିକା ରହିଛି। ବାହାରେ ଅସହ୍ୟ ତାପମାତ୍ରା ରହିଲେ ବି ଏହି ସ୍କୁଲ୍‌ ମଧ୍ୟରେ ପିଲାମାନେ ପଢିବା ସହ ଖେଳିପାରିବେ। ସ୍କୁଲ୍‌ ମଧ୍ୟରେ ଥିବା ଜ୍ଞାନ ସେଣ୍ଟରରେ ପ୍ରଥମରୁ ଦଶମ ଯାଏ ୪୦୦ ଝିଅ ପଢ଼ିବାର ବ୍ୟବସ୍ଥା କରାଯାଇଛି। ଜୈସାଲ୍‌ମେରରେ ମହିଳା ସ୍ବାକ୍ଷରତା ହାର ବହୁତ କମ୍‌ ଏବଂ ଅନେକ ଝିଅ ମଧ୍ୟ ଅଧାରୁ ପାଠ ଛାଡନ୍ତି। ଏଣୁ ଏହି ସ୍କୁଲ ଏଠାରେ ଝିଅମାନଙ୍କୁ ଶିକ୍ଷା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି ଡାଏନା। କୋଭିଡ୍‌-୧୯ ସଂକ୍ରମଣ ଯୋଗୁ ୨୦୨୦ରେ ଏହି ସ୍କୁଲ୍‌ ଖୋଲିବା ସମ୍ଭବ ହୋଇ ନ ଥିତ୍ଲା । ୨୦୨୧ରେ ଏହା ଖୋଲିବା ଲାଗି ଯୋଜନା ରଖାଯାଇଛି।