ଏଇ ଭାରତରେ

ସମୀର ବର୍ଦ୍ଦୋଲୋଇ ଯୁବକମାନଙ୍କୁ ନେଇ ଗଠନ କରିଛନ୍ତିି ସବୁଜ ସେନା। ଏହି ସେନାରେ ରହିଛନ୍ତି ୩୨୬ ଜଣ ଗ୍ରୀନ ବା ସବୁଜ କମାଣ୍ଡୋ। ଏହି କମାଣ୍ଡୋମାନେ ଆସାମରେ କୃଷିରେ ଏକ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିପାରିଛନ୍ତି। ଅରୁଣାଚଳପ୍ରଦେଶରେ ସମୀରଙ୍କ ପିଲାଦିନ କଟିଥିଲା, ହେଲେ କର୍ମଭୂମି ପାଲଟିଛି ଆସାମ। ତାଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ‘ସ୍ପ୍ରେଡ୍‌ ଏନ୍‌ଇ’ଏନ୍‌ଜିଓ ମାଧ୍ୟମରେ ୨,୫୦୦ କୃଷକଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଗ୍ରୀନ୍‌ କମାଣ୍ଡୋମାନେ ବୈଜ୍ଞାନିକ ତଥା ପରିବେଶକୁ କ୍ଷତି ନ ପହଞ୍ଚାଇବା ଭଳି ପାରମ୍ପରିକ ପଦ୍ଧତିରେ କିଭଳି କୃଷିକାର୍ଯ୍ୟ କରାଯିବ ସେ ସମ୍ପର୍କରେ କୃଷକମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ସମଗ୍ର ଦେଶର ୮% ହେଉଛି ଉତ୍ତରପୂର୍ବାଞ୍ଚଳ। ପ୍ରାକୃତିକ ବିପର୍ଯ୍ୟୟ ସାଙ୍ଗକୁ କୃଷି କାର୍ଯ୍ୟରେ ବାଧା ଲାଗି ରହିଥିବାରୁ ଏଠାରେ ଖାଦ୍ୟାଭାବ ଲାଗିରହେ। ଏଣୁ କୃଷକମାନଙ୍କୁ ସଶକ୍ତ କରିବା ପାଇଁ ଯୁବକମାନଙ୍କୁ ନେଇ ଆସାମରେ ଏଭଳି ନିଆରା ଅଭିଯାନ ଆରମ୍ଭ କରିଛନ୍ତି ସମୀର। ଗାଁର କୃଷକ ପରିବାରଗୁଡ଼ିକୁ ସହର ବାସିନ୍ଦା ପରିବାରଗୁଡ଼ିକ ପୋଷ୍ୟ ଭାବେ ଗ୍ରହଣ କରିବାର ବ୍ୟବସ୍ଥା ମଧ୍ୟ କରିଛନ୍ତି। ଏହି ଅଭିଯାନରେ ସହରୀ ପରିବାରଗୁଡ଼ିକ ଏବେ ସୁଦ୍ଧା ୪୦ଟି କୃଷକ ପରିବାରକୁ ପୋଷ୍ୟ ଭାବେ ଗ୍ରହଣ କରି ସେମାନଙ୍କଠାରୁ କୃଷି ଉପତ୍ାଦ କିଣୁଛନ୍ତି। ଆଉ ଯାହା କୃଷକଙ୍କ ପାଖରେ ବଳୁଛି ତାହାକୁ ସେମାନେ ବଜାରରେ ବିକ୍ରି କରୁଛନ୍ତି। ସମୀର ମଧ୍ୟ ୧୫୦ରୁ ଊର୍ଦ୍ଧ୍ୱ ସ୍କୁଲକୁ ତାଙ୍କ ଅଭିଯାନରେ ସାମିଲ କରିଛନ୍ତି । ଏମାନେ ସବୁଜ କମାଣ୍ଡୋଙ୍କ ସହ କୃଷକଙ୍କୁ ପ୍ରଶିକ୍ଷଣ ଦେବାରେ ସାହାଯ୍ୟ କରୁଛନ୍ତି।