ଏଇ ଭାରତରେ

ପାର୍ଥିବ ଶରୀରର ଅନ୍ତିମ ସଂସ୍କାର ନ ହେଲେ ଆମତ୍ା ମୁକ୍ତିଲାଭ କରିପାରେ ନାହିଁ ବୋଲି ମାନ୍ୟତା ରହିଛି। ଏହାକୁ ଲକ୍ଷ୍ୟକରି ପଞ୍ଜାବର ଜଣେ ମହିଳା ଏଏସ୍‌ଆଇ ସୁନୀତା ଦୁର୍ଘଟଣା କିମ୍ବା ଅନ୍ୟ କାରଣରୁ ମୃତ୍ୟୁ ହେଉଥିବା ଅନେକ ଅପରିଚିତ ମୃତଦେହ ଦାହକରି ସେମାନଙ୍କୁ ମୁକ୍ତି ପଥର ଯାତ୍ରୀ କରିବାରେ ଲାଗିଛନ୍ତି। ୨୦୧୭ରୁ ସୁନୀତା ଏହି କାର୍ଯ୍ୟକରି ଆସୁଛନ୍ତି ଓ ଏବେ ସୁଦ୍ଧା ସେ ୨୦୦୦ ମୃତଦେହର ଅନ୍ତିମ ସଂସ୍କାର କରିସାରିଲେଣି। କେବଳ ଅନ୍ତିମ ସଂସ୍କାର କରୁନାହାନ୍ତି, ବରଂ ସେମାନଙ୍କ ଅସ୍ଥିକୁ ବିଧିବିଧାନ ମୁତାବକ ବିସର୍ଜନ କରି ସଂସ୍କାର କର୍ମ କରୁଛନ୍ତି। କରୋନା ସମୟରେ ମଧ୍ୟ ସେ ଏହି କାର୍ଯ୍ୟ ଜାରି ରଖିଥିଲେ ଓ ସଂସ୍କାର ଘାଟକୁ ଯାଇ ଅନ୍ତିମ ସଂସ୍କାର କରୁଥିଲେ। ସେ ଦାହ ଖର୍ଚ୍ଚ ନିଜେ ବହନ କରୁଛନ୍ତି। ବହୁ ସମୟରେ କେତେକ ପୋଲିସ ମଧ୍ୟ ତାଙ୍କ ଅର୍ଥ ଦେଲେ ସେ ତାହାକୁ ଗ୍ରହଣ କରନ୍ତି। ୧୯୯୯ରେ ସୁନୀତା ପଞ୍ଜାବ ପୋଲିସରେ ଭର୍ତ୍ତି ହୋଇଥିଲେ। ଏବେ ସେ ନିଶା ଚୋରା କାରବାର ରୋକିବା ଲାଗି ଗଠିତ ଆଣ୍ଟି ନାର୍କୋଟିକ୍ସ ସେଲ୍‌ରେ ଏଏସ୍‌ଆଇ ଭାବେ କାର୍ଯ୍ୟ କରୁଛନ୍ତି। ପଞ୍ଜାବ ପୋଲିସକୁ କୌଣସି ଅଜଣା ଶବ ମିଳିଲେ ସେ ଆଗକୁ ବାହାରି ଦାହ କରନ୍ତି।