ଏଇ ଭାରତରେ

ପ୍ରାର୍ଥୀ ଯୋଗ୍ୟ ହେବା ପରେ ଚାକିରି ପାଇବାକୁ ଚାଲିଗଲା ଦୁଇ ଦଶନ୍ଧିରୁ ଅଧିକ ସମୟ। ଏମିତି ଏକ ଅଜବ ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲାରେ। ଉକ୍ତ ଜିଲା ଅନ୍ତର୍ଗତ ସିଦ୍ଧି ଗାଁର ବ୍ୟକ୍ତି କେଦାରେଶ୍ୱର ରାଓ ୧୯୯୮ରେ ଡିଷ୍ଟ୍ରିକ୍ଟ ସିଲେକ୍‌ଶନ କମିଟି (ଡିଏସ୍‌ସି) ଦ୍ୱାରା ଶିକ୍ଷକ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ତେବେ ଆଇନଗତ କାରଣରୁ ଏହାକୁ ସରକାର ବନ୍ଦ କରିଦେଇଥିଲେ। ପରେ ବହୁ ଯୋଗ୍ୟ ପ୍ରାର୍ଥୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଏହାର ସମାଧାନ ହୋଇ ନ ଥିଲା। ତେବେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନମୋହନ ରେଡ୍ଡୀ ପଦଯାତ୍ରାରେ କେଦାରେଶ୍ୱରଙ୍କ ଗାଁକୁ ଯାଇଥିବା ବେଳେ ସେ ତାଙ୍କ ଚାକିରି ବିଷୟରେ ଜଣାଇଥିଲେ। ପରେ ମୁଖ୍ୟମନ୍ତ୍ରୀ ସେହି ଫାଇଲକୁ ସବୁଜ କ୍ଲିୟର୍‌ କରିବାରୁ କେଦାରେଶ୍ୱର ୨୪ ବର୍ଷ ପରେ ଚାକିରି ପାଇଛନ୍ତି। କେଦାରେଶ୍ୱରଙ୍କୁ ଏବେ ବୟସ ୫୭। ଆଉ କେଇ ବର୍ଷ ଚାକିରି କରିବେ ସତ, କିନ୍ତୁ ଦୁଇ ଦଶନ୍ଧି ପରେ ଚାକିରି ପାଇଥିବାରୁ ଗାଁ ଲୋକେ ତାଙ୍କୁ ନୂଆ ପ୍ୟାଣ୍ଟଶାର୍ଟ ପିନ୍ଧାଇ ଶିକ୍ଷକ ବେଶରେ ସଜାଇଛନ୍ତି। କାରଣ ଅତି ଗରିବ ଅବସ୍ଥାରେ ସେ ବଞ୍ଚୁଥିଲେ। ପିଲାଦିନେ ବାପାଙ୍କୁ ହରାଇବା ପରେ ବହୁ କଷ୍ଟରେ ବି.ଏ. ପାସ୍‌ କରି ବିଏଡ୍‌ କରି ଡିଏସ୍‌ସି ଦ୍ୱାରା ଶିକ୍ଷକ ପାଇଁ ମନୋନୀତ ହୋଇଥିଲେ। ତେବେ ତାହା ବନ୍ଦ ରହିବା ପରେ କେଦାରେଶ୍ୱର ମା’ଙ୍କ ସହ ହାଇଦ୍ରାବାଦ ଯାଇ ସେଠାରେ କପଡ଼ା ଦୋକାନରେ କାମ କରିଥିଲେ। ପୁନର୍ବାର ଗାଁକୁ ଫେରି ସାଇକେଲରେ ବୁଲି ଶାଢ଼ି ବିକୁଥିଲେ। ଏବେ ଚାକିରି ପାଇବା ପରେ ସେ ମୁଖ୍ୟମନ୍ତ୍ରୀଙ୍କୁ ସବୁ ଶ୍ରେୟ ଅଜାଡ଼ି ଦେଇଛନ୍ତି।