ଏଇ ଭାରତରେ

୬୦ ବର୍ଷ ବୟସ ପରେ ଆର୍ଥିକ ରୂପେ ସ୍ବାଧୀନ ଜୀବନ ଜିଇବା ସହଜ ନ ହେଲେ ମଧ୍ୟ ଗୁଜରାଟ ନବସାରୀ ଥାଟ ଗାଁର ୬୧ ବର୍ଷୀୟା ଲକ୍ଷ୍ମୀ ପଟେଲଙ୍କ କାହାଣୀ ଆମ ପାଇଁ ପ୍ରେରଣାଦାୟକ ନିଶ୍ଚୟ। ଅନ୍ୟମାନଙ୍କ ଉପରେ କୌଣସି ପ୍ରକାର ନିର୍ଭର ନ କରି ସେ ସ୍ବାବଲମ୍ବୀ ହୋଇପାରିଛନ୍ତି ଓ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ବି ସୃଷ୍ଟି କରିଛନ୍ତି। ସେ ପରିଣତ ବୟସରେ ଅର୍ଗାନିକ କୃଷି କରୁଛନ୍ତି। ଜାଣି ଆଶ୍ଚର୍ଯ୍ୟ ଲାଗେ ଯେ ଲକ୍ଷ୍ମୀ ବର୍ଷକୁ ଏହି ଚାଷରୁ ୧୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ସେ ନବସାରୀ କୃଷି ବିଶ୍ୱବିଦ୍ୟାଳୟର ଟ୍ରେନିଂ କ୍ୟାମ୍ପରେ ଯୋଗଦେଇ ଜୈବିକ କୃଷି ସମ୍ପର୍କରେ ପ୍ରଶିକ୍ଷଣ ନେବା ପରେ ଚାଷ କରୁଛନ୍ତି। ସେ ୫୧ ବର୍ଷ ବୟସରେ ଜମି କିଣି ଏହି ଚାଷରେ ମନୋନିବେଶ କରିଥିଲେ ଓ ତାହା ଏଯାବତ ଜାରି ରଖିଛନ୍ତି। ସେ ଏବେ ଆଟ ଗାଁର ସବୁଠୁ ଅଧିକ ରୋଜଗାରିଆ ମହିଳା। କେବଳ ଏତିକି ନୁହେଁ ସେ ମଧ୍ୟ ସ୍ଥାନୀୟ ଗ୍ରାହକଙ୍କୁ ଜୈବିକ କୃଷି ସମ୍ବନ୍ଧରେ ଶିକ୍ଷା ଦେଉଛନ୍ତି। ୬୧ ବର୍ଷରେ ସେ ଦିନରାତି କ୍ଷେତରେ କାମ କରିପାରୁଛନ୍ତି ଓ ସୁସ୍ଥ ଅଛନ୍ତି। କୃଷି ଉତ୍ପାଦନର ମାର୍କେଟିଂ ବି ନିଜେ କରୁଛନ୍ତି।