ଏଇ ଭାରତରେ

ଗରିବଙ୍କୁ ସାହାଯ୍ୟ କରିବାର ଏକ ଭିନ୍ନ ତରିକା ଦେଖିବାକୁ ମିଳିଛି ବେଙ୍ଗାଲୁରୁରେ। ସେଠାକାର ୪ ଜଣ ସାଙ୍ଗ ୧ ଟଙ୍କା ମୂଲ୍ୟରେ ଗରିବ ଲୋକଙ୍କୁ ପୋଷାକ ଯୋଗାଇ ଦେଉଛନ୍ତି। ମେଲିଶା ଜୋରା, ବିନୋଦ ଲୋବେ, ନୀତିନ କୁମାର ଏବଂ ବିଗ୍‌ନେଶ ‘ଇମାଜିନ ଟ୍ରଷ୍ଟ’ ଗଠନ କରି ତା’ ମାଧ୍ୟମରେ ପୋଷାକ ଦେଉଛନ୍ତି। ସମସ୍ତେ ଚାକିରି କରିଛନ୍ତି ଓ ଟ୍ରଷ୍ଟର ସ୍ବେଚ୍ଛାସେବୀଙ୍କ ଦ୍ୱାରା ଏହି କାର୍ଯ୍ୟ ସଞ୍ଚାଳନ କରୁଛନ୍ତି। ସେମାନେ ଏଥିପାଇଁ ‘ଇମାଜିନ୍‌ ବସ୍ତ୍ର ବ୍ୟାଙ୍କ’ ଖୋଲିଛନ୍ତି। ପ୍ରତି ରବିବାର ଏହି ‘ବସ୍ତ୍ର ବ୍ୟାଙ୍କ’ ଖୋଲା ରହୁଛି। ଗରିବମାନେ ସେଠାକୁ ଯାଇ ସେମାନଙ୍କ ପସନ୍ଦର ପୋଷାକ ମାତ୍ର ୧ ଟଙ୍କାରେ କିଣୁଛନ୍ତି। ‘ବସ୍ତ୍ର ବ୍ୟାଙ୍କ’କୁ ପୋଷାକ ଲୋକମାନେ ଦାନ କରୁଛନ୍ତି। ଏହା ବ୍ୟତୀତ ସ୍ବେଚ୍ଛାସେବୀମାନେ ଲୋକଙ୍କଠାରୁ ବ୍ୟବହୃତ ପୋଷାକ ଯାହା ସମ୍ପୂର୍ଣ୍ଣ ବ୍ୟବହାରଯୋଗ୍ୟ, ତାହାସବୁ ସଂଗ୍ରହ କରୁଛନ୍ତି। ଏହିସବୁ ପୋଷାକକୁ ସଫା କରାଯାଇ ରଖାଯାଉଛି। ତେବେ ବସ୍ତ୍ର ବ୍ୟାଙ୍କର ଓ୍ବେଷ୍ଟରୁ ବି ପୁନଃ ବ୍ୟବହାରଯୋଗ୍ୟ ଜିନିଷ ପ୍ରସ୍ତୁତ କରାଯାଉଛି। ଯେଉଁ ବସ୍ତ୍ର ଚିରିଯାଉଛି ସେଥିରୁ ତକିଆଖୋଳ କିମ୍ବା ମ୍ୟାଟ୍‌ ପ୍ରସ୍ତୁତ କରାଯାଇ ଗରିବମାନଙ୍କୁ ମାଗଣାରେ ଦିଆଯାଉଛି। ଲକ୍‌ଡାଉନ୍‌ ସମୟରେ ଏଭଳି କାର୍ଯ୍ୟ କରିବାକୁ ସେମାନେ ନିଷ୍ପତ୍ତି ନେଇଥିଲେ। ତେବେ ପ୍ରତି ସପ୍ତାହରେ ୧୫୦ରୁ ଅଧିକ ପରିବାର ବସ୍ତ୍ରବ୍ୟାଙ୍କରୁ ପୋଷାକ ନେଉଛନ୍ତି। ଏବେ ସୁଦ୍ଧା ମୋଟ୍‌ରେ ସେମାନେ ୧୦,୦୦୦ ଗରିବ ଲୋକଙ୍କୁ ୧ ଟଙ୍କାରେ ବସ୍ତ୍ର ଯୋଗାଇ ଦେଇସାରିଲେଣି।