ଏଇ ଭାରତରେ

ଭଲ ବର୍ଷା ପାଇଁ ଖୋଲା ଆକାଶ ତଳେ ୪ ମାସ ହେବ ତପସ୍ୟା କରୁଛନ୍ତି ଜଣେ ସାଧୁ। ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି। ଏପରି ଏକ ଘଟଣା ଘଟିଛି ରାଜସ୍ଥାନରେ। ଏହି ରାଜ୍ୟର ଦୌସା ଜିଲା ମୁଖ୍ୟାଳୟଠାରୁ ମାତ୍ର ୩ କିଲୋମିଟର ଦୂରରେ ବଜୋରିର ବାଲାଜୀ ମନ୍ଦିର ପରିସରରେ ଜଣେ ସାଧୁ ବିଗତ ୪ ମାସ ହେବ ତପସ୍ୟା କରୁଥିବା ଦେଖାଯାଉଛି। ଖୋଲା ଆକାଶ ତଳେ ଚାରିପଟେ ନିଆଁ ଜାଳି ସାଧୁ ଜଣକ ତପସ୍ୟା କରିବାରେ ମଗ୍ନ ରହୁଛନ୍ତି। ଚଳିତବର୍ଷ ଆକାଶରୁ ଅଗ୍ନିବର୍ଷା ହେଉଥିବା ବେଳେ ଜଗଦୀଶ ଦାସ ମହାରାଜ ନାମକ ଏହି ସାଧୁ ଭଲ ବର୍ଷା କାମନା କରି ତପସ୍ୟା କରୁଛନ୍ତି। ବର୍ତ୍ତମାନର ସ୍ବାର୍ଥପର ଦୁନିଆରେ ସାଧୁଙ୍କର ଏପରି କଠୋର ତପସ୍ୟା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ଯୋଗୁ ଲୋକେ ଘରୁ ବାହାରି ପାରୁ ନ ଥିବା ବେଳେ ସାଧୁ ଜଣକ ଖୋଲା ଆକାଶ ତଳେ ବସି ଇନ୍ଦ୍ର ଦେବତାଙ୍କୁ ସନ୍ତୁଷ୍ଟ କରିବାକୁ ଯେପରି ତପସ୍ୟାରେ ମଗ୍ନ ରହୁଛନ୍ତି ତାହାକୁ ଦେଖି ସମସ୍ତେ ପ୍ରଶଂସା କରୁଛନ୍ତି।