ଏଇ ଭାରତରେ

ବେଙ୍ଗାଲୁରୁର ଏକ ସ୍କୁଲର ବିଜ୍ଞାନ ଶିକ୍ଷକ ସି.ଏମ୍‌. ନାଗରାଜଙ୍କ ଅପସାଇକେଲିଂ ଚିନ୍ତାଧାରା ଅନ୍ୟମାନଙ୍କ ପାଇଁ ପ୍ରେରଣା କହିଲେ ଅତ୍ୟୁକ୍ତି ହେବନାହିଁ। ନାଗରାଜ ସ୍କୁଲରେ ବର୍ଜ୍ୟ ପରିଚାଳନା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ସେ ଭାଙ୍ଗିଯାଇଥିବା ଧାତବ ଫର୍ନିଚର, ଟେବୁଲ ଓ ଚେୟାରରୁ ପ୍ରୋଜେକ୍ଟର ସ୍କ୍ରିନ, ଷ୍ଟାଫ୍‌ମାନଙ୍କ ପାଇଁ କପ୍‌ବୋର୍ଡ, ନ୍ୟୁଜ୍‌ପେପର ରିଡିଂ ଷ୍ଟାଣ୍ଡ ତିଆରି କରିଛନ୍ତି। ଏହାବ୍ୟତୀତ ସେ ପିଲାମାନଙ୍କ ଦ୍ୱାରା ସଂଗୃହୀତ କ୍ଷୀର ପାଉଚରୁ ୨୦ଟି କମ୍ପ୍ୟୁଟର କଭର ତିଆରି କରିଛନ୍ତି। ଏହି କାର୍ଯ୍ୟରେ ଟେଲର କାର୍ଯ୍ୟ କରୁଥିବା ଅଭିଭାବକମାନେ ତାଙ୍କୁ ସହଯୋଗ କରିଛନ୍ତି। ସେ ଦୁଇଟି ବାୟୋ ଓ୍ବେଷ୍ଟ କନଭର୍ଟର ଏବଂ କାଗଜ ଓ ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ର୍ରହ କରି ରଖିବାର ବ୍ୟବସ୍ଥା କରିଛନ୍ତି। ନାଗରାଜ ନିକଟସ୍ଥ କୃଷି କ୍ଷେତରୁ ଶସ୍ୟ ବର୍ଜ୍ୟ ସଂଗ୍ରହ କରି ସେଥିରୁ ଖତ ପ୍ରସ୍ତୁତ କରି ସ୍କୁଲ ବଗିଚାରେ ଲଗାଉଛନ୍ତି। ସ୍କୁଲରୁ ମଧ୍ୟାହ୍ନଭୋଜନରେ ବାହାରୁଥିବା ବର୍ଜ୍ୟରୁ ବି ଖତ ତିଆରି କରୁଛନ୍ତି। ୬ରୁ ୮ ମାସ ମଧ୍ୟରେ ସେ ୧ ଟନ୍‌ ଖତ ପ୍ରସ୍ତୁତ କରିଛନ୍ତି। ବଳକା ଖତ ବିକ୍ରି କରି ସ୍କୁଲ ଉନ୍ନତି ପାଇଁ ବ୍ୟୟ କରୁଛନ୍ତି। ବର୍ଷକ ମଧ୍ୟରେ ସଂଗ୍ରହ ହୋଇଥିବା ୫୮କେଜି କାଗଜ ଓ ପ୍ଲାଷ୍ଟିକ ବର୍ଜ୍ୟକୁ ନିକଟସ୍ଥ ରିସାଇକେଲିଂ କେନ୍ଦ୍ରକୁ ପଠାଇଛନ୍ତି। କେବଳ ଏତିକିି ନୁହେଁ, ସେ ସ୍କୁଲ ପରିସରରେ ଭୂତଳ ଜଳ ଚାର୍ଜ କରିବା ଲାଗି ବ୍ୟବସ୍ଥା ବି କରିଛନ୍ତି।