ଏଇ ଭାରତରେ

ସଡ଼କ ପଥରେ ଲମ୍ବା ଯାତ୍ରାରେ ଯିବା ସମୟରେ ମହିଳା ଯାତ୍ରୀମାନେ ବିଶ୍ରାମ ଓ ଶୌଚ ଆଦିରେ ନାନା ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। କୋଲକାତାର ସାମ୍ବାଦିକ ଦୀପ୍ତେନ୍ଦୁ ରୟ ତାଙ୍କ ସ୍ତ୍ରୀ ସହ ସଡ଼କ ପଥରେ ଛତିଶଗଡ଼ ଯିବା ସମୟରେ ଏଭଳି ସମସ୍ୟା ଦେଖିଥିଲେ। ପରେ ସେ ଚାକିରି ଛାଡ଼ି ଦୂରଯାତ୍ରା କରୁଥିବା ମହିଳାଙ୍କ ସୁବିଧା ଲାଗି ଏକ ନୂତନ ଉପାୟ ଆପଣାଇଛନ୍ତି। ଦୀପ୍ତେନ୍ଦୁ ପୁରୁଣା ତଥା ଅଦରକାରୀ ବସ୍‌ଗୁଡ଼ିକରେ ଶୌଚାଳୟ, ବିଶ୍ରାମାଗାର, ପୋଷାକ ବଦଳାଇବା ଲାଗି ରୁମ୍‌ ଏପରିକି ମା’ମାନେ ପିଲାଙ୍କୁ ସ୍ତନ୍ୟପାନ କରାଇବା ଲାଗି ସ୍ବତନ୍ତ୍ର ରୁମ୍‌ କରିଛନ୍ତି। ଏହି ଅଭିଯାନର ନାମ ରଖାଯାଇଛି ଏଲୋ। ପ୍ରଥମେ ସେ ବସ୍‌ରେ ରେଷ୍ଟ୍‌ରୁମ୍‌ କରିବା ପରେ ତାହାକୁ ଶାନ୍ତି ନିକେତନରେ ରଖିଥିଲେ। ପରେ ଆଉ କେତୋଟି ନିର୍ମାଣ କରି ସେଗୁଡ଼ିକୁ ଛତିଶଗଡ଼ ରାଜପଥ କଡ଼ରେ ରଖାଯାଇଛି। ଏହିସବୁ ବସ୍‌ର ପରିଚାଳନା ଦାୟିତ୍ୱ ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଦିଆଯାଇଛି। ସେମାନେ ଏହାକୁ ଠିକ୍‌ ଭାବେ ପରିଚାଳନା କରିବା ସହ ଏହାର ସ୍ବଚ୍ଛତା ମଧ୍ୟ ରଖିପାରିଛନ୍ତି। ଉକ୍ତ ବସ୍‌ଗୁଡ଼ିକର ସମ୍ମୁଖ ଭାଗରେ ଯାତ୍ରୀମାନଙ୍କ ପାଇଁ ଆବଶ୍ୟକ ସାମଗ୍ରୀ ବିକ୍ରି କରାଯିବାର ବ୍ୟବସ୍ଥା ହୋଇଛି। ଯାହା ବିକ୍ରି ହେଉଛି ସେଥିରେ ଏହି ବସ୍‌ଗୁଡ଼ିକର ରକ୍ଷଣାବେକ୍ଷଣରେ ଖର୍ଚ୍ଚ ହେବା ସହ ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ଆୟ ମଧ୍ୟ ବଢିପାରୁଛି।