ଏଇ ଭାରତରେ

ପ୍ରେମ ବାଧାବନ୍ଧନ ମାନି ନ ଥାଏ। କେତେକ ପ୍ରେମୀଯୁଗଳ ଘରୁ ଲୁଚି ପଳାଇଯାଇ ପରିବାର ସଦସ୍ୟ ଓ ସମାଜର ନିୟମକୁ ନ ମାନି ଅନ୍ୟତ୍ର ବିବାହ କରିଥାନ୍ତି । ତେବେ ସେମାନଙ୍କ ସୁରକ୍ଷା ନେଇ ଅନେକ ସମୟରେ ସମସ୍ୟା ସୃଷ୍ଟି ହୋଇଥାଏ। ହିମାଚଳ ପ୍ରଦେଶରେ ଏମିତି ଏକ ମନ୍ଦିର ରହିଛି ଯେଉଁଠି ପ୍ରେମୀଯୁଗଳ ଘରୁ ଲୁଚି ଏଠାରେ ଆଶ୍ରୟ ନିଅନ୍ତି। ଏହା ସେମାନଙ୍କ ପାଇଁ ଏକ ସୁରକ୍ଷିତ ସ୍ଥାନ। ହିମାଚଳ ପ୍ରଦେଶରେ କୁଲୁସ୍ଥିତ ଶାଙ୍ଘଡ ଗ୍ରାମରେ ମହାଦେବଙ୍କର ମନ୍ଦିର ରହିଛି। ଏଠାରେ ଘରୁ ଲୁଚି ପଳାଇ ଆସିଥିବା ପ୍ରେମୀଯୁଗଳଙ୍କୁ ଆଶ୍ରୟ ମିଳେ। ମହାଦେବଙ୍କ ଆଶୀର୍ବାଦ ମଧ୍ୟ ମିଳିଥାଏ। ପ୍ରେମୀଯୁଗଳ ବିବାହ ଉଦ୍ଦେଶ୍ୟରେ ଏହି ମନ୍ଦିରକୁ ଆସିଥାନ୍ତି। ଯେତେଦିନ ଯାଏ ଏହି ମନ୍ଦିର ପରିସରରେ ରୁହନ୍ତି ସେମାନଙ୍କୁ ମନ୍ଦିର ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯାଏ। ଏଠାକୁ ପୋଲିସ ମଧ୍ୟ ଆସନ୍ତି ନାହିଁ। ପରିବାର ପକ୍ଷରୁ ଅଭିଯୋଗ କରାଗଲେ ମଧ୍ୟ ପୋଲିସ ମନ୍ଦିର ପରିସରରୁ ପ୍ରେମୀଯୁଗଳକୁ ଗିରଫ କରେନାହିଁ। ମାଦକ ଦ୍ରବ୍ୟ, ଚମଡ଼ା ତିଆରି ଜିନିଷ ମନ୍ଦିର ଭିତରକୁ ନେବାକୁ ବାରଣ କରାଯାଇଥାଏ। ଏଠାରେ ବଡ଼ପାଟିରେ ମଧ୍ୟ କଥା ହେବାକୁ ମନା କରାଯାଏ। ଏହାଦ୍ୱାରା ଶାନ୍ତିଭଙ୍ଗ ହେବ ବୋଲି ଲୋକେ କହିଥାଆନ୍ତି। ବାସ୍ତବରେ ପ୍ରେମୀଯୁଗଳଙ୍କ ପାଇଁ ଏହି ସ୍ଥାନ ମର୍ତ୍ତ୍ୟର ଅମରାବତୀ କହିଲେ ଅତ୍ୟୁକ୍ତି ହେବନାହିଁ।