ଏଇ ଭାରତରେ

ବଗିଚାରେ ପନିପରିବା ଚାଷ କଲାବେଳେ ରୋଗ, ପୋକ ଓ ଘାସ ମୁଣ୍ଡବ୍ୟଥାର କାରଣ ପାଲଟୁଛି। ଏହି ସମସ୍ୟାର ସମାଧାନ ପାଇଁ କେରଳର ପ୍ରିନ୍ସ ମାମ୍ମନଙ୍କ ଦ୍ୱାରା ଆବିଷ୍କୃତ ରୋବୋ ଅନେକ ଆଶା ସଞ୍ଚାର କରିଛି। ଏହି ରୋବୋ ବଗିଚାରୁ କ୍ଷତିକାରକ ଘାସ ହଟାଇ ଦେଉଥିବାବେଳେ ଗଛର ବିକାଶ ଏବଂ ରୋଗପୋକର ପ୍ରଭାବ ଠାବ କରିବାରେ ସାହାଯ୍ୟ କରୁଛି। ଉକ୍ତ ଏଆଇ (କୃତ୍ରିମ ବୁଦ୍ଧିମତ୍ତା) ସକ୍ଷମ ରୋବୋ ନାମ ରଖାଯାଇଛି ଗାର୍ଡୋ। ପ୍ରିନଙ୍କ୍ସ ଘର କୋଲାମରେ। ସେ ମେକାଟ୍ରୋନିକ୍ସ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି। ସେ ୨୦୨୧ରେ ଗାଡ୍ରୋ ରୋବୋ ନିର୍ମାଣ ଆରମ୍ଭ କରିଥିଲେ। ସେହି ବର୍ଷ ଏହାକୁ ବିକ୍ରି କରିବା ପାଇଁ ‘ଫ୍ରିମ୍ୟାନ ରୋବୋର୍ଟସ’ କମ୍ପାନୀ ପ୍ରତିଷ୍ଠା କରିଥିଲେ। ଗାର୍ଡୋ ବ୍ୟାଟେରି ଦ୍ୱାରା ଚାଲୁଛି। ଏହାର ଓଜନ ୫୦୦ଗ୍ରାମ, ଲମ୍ବ ୨୦ସେ.ମି., ଚଉଡା ୧୨ସି.ମି ଏବଂ ଉଚ୍ଚତା ୧୦ ସେ.ମି.। ଏଥିରେ କ୍ୟାମେରା ରହିବା ସହ ଏବ୍‌ ଆପ୍ଲିକେଶନ ମଧ୍ୟ ଅଛି। ରୋବୋ ଚାର୍ଜ ହେବା ପରେ ତାହାକୁ ବଗିଚାର ଗୋଟିଏ କୋଣରେ ରଖିଦେଇ ମୋବାଇଲ ଆପ୍ଲିକେଶନ ବ୍ୟବହାର କରି ତାହାର କାର୍ଯ୍ୟକ୍ଷେତ୍ରର ସୀମା ସ୍ଥିର କରାଯାଉଛି। ପରେ ଏହା ଗଛ ମଧ୍ୟରେ ଧୀରେ ଧୀରେ ଗତି କରି ଘାସ ନଷ୍ଟ କରିପାରୁଛି। ଏଥିରେ ଥିବା ଅତ୍ୟାଧୁନିକ ସେନ୍‌ସର ଲଗାଯାଇଛି, ଯାହା ଗଛର ବୃଦ୍ଧି ଓ ସ୍ବାସ୍ଥ୍ୟ ସମ୍ପର୍କରେ ସୂଚନା ଦେଇପାରୁଛି।