ଏଇ ଭାରତରେ

ଜଣେ ବ୍ରିଗେଡିୟର ଅବସର ପରେ ନିଜକୁ ଏକ ଭିନ୍ନ କାର୍ଯ୍ୟରେ ନିୟୋଜିତ କରିଛନ୍ତି, ଯାହା ବେଶ୍‌ ପ୍ରେରଣାଦାୟକ। ଆନ୍ଧ୍ରପ୍ରଦେଶର ଏହି ସେନା ଅଧିକାରୀ ଜଣକ ହେଉଛନ୍ତି ପି. ଗଣେଶନ୍‌। ସେ ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାର ଦୁର୍ଗମ ଅଞ୍ଚଳଗୁଡ଼ିକୁ ଯାତ୍ରା କରି ତୃଣମୂଳ ସ୍ତରରେ ଲୋକେ ଆବିଷ୍କାର କରିଥିବା ନୂତନ ଯନ୍ତ୍ରପାତିକୁ ଲୋକଲୋଚନକୁ ଆଣୁଛନ୍ତି। ତାଙ୍କର ଏହି ଅଭିଯାନର ନାମ ରଖିଛନ୍ତି ‘ଶୋଧ ଯାତ୍ରା’। ୨୦୦୫ରେ ସେ ‘ପଲ୍ଲୀ ସୃଜନ’ ସଂସ୍ଥା ଗଠନ କରି ତା’ ମାଧ୍ୟମରେ ଏହି କାର୍ଯ୍ୟ କରିଆସୁଛନ୍ତି। ଦୀର୍ଘ ୧୮ ବର୍ଷ ମଧ୍ୟରେ ଗଣେଶନ୍‌ ଏଭଳି ୨୦୦ ଉଚ୍ଚକୋଟୀର ଆବିଷ୍କୃତ ଯନ୍ତ୍ରପାତି ଠାବ କରିଛନ୍ତି, ଯାହା ନିତିଦିନ ଜୀବନରେ ବହୁ କାର୍ଯ୍ୟରେ ଲାଗିପାରୁଛି। ଏସବୁ ଆବିଷ୍କାର ମଧ୍ୟରୁ ୧୩ ଜଣ ରାଷ୍ଟ୍ରପତି ପୁରସ୍କାର, ୨ ଜଣ ପଦ୍ମଶ୍ରୀ ପାଇସାରିଛନ୍ତି। ସେ ମଧ୍ୟ ଆବିଷ୍କାରକଙ୍କୁ ସେମାନଙ୍କ ଯନ୍ତ୍ରପାତି ଅଧିକ ସଂଖ୍ୟାରେ ନିର୍ମାଣ କରିବାକୁ ସାହାଯ୍ୟ କରୁଛନ୍ତି ଏବଂ ଏଯାବତ୍‌ ସେ ବିଭିନ୍ନ ଉତ୍ସରୁ ସେମାନଙ୍କୁ ପ୍ରାୟ ୪ କୋଟି ଟଙ୍କା ଋଣ କରାଇପାରିଛନ୍ତି। ଆବିଷ୍କୃତ ଯନ୍ତ୍ରପାତିଗୁଡ଼ିକର ପ୍ରତିକୃତି ସିକନ୍ଦରାବାଦ ବାୟୁପୁରିରେ ଥିବା ତାଙ୍କ ବାସଭବନରେ ପ୍ରଦର୍ଶିତ କରୁଛନ୍ତି। ଏଗୁଡ଼ିକ ମଧ୍ୟରୁ ୨୬ଟି ବିକ୍ରି ପାଇଁ ପ୍ରସ୍ତୁତ ହୋଇଗଲାଣି, ୨୪ଟିର ପ୍ୟାଟେଣ୍ଟ ବି ସରିଛି।