ଏଇ ଭାରତରେ

ଧାନ ଲାଇବ୍ରେରି କଥା କେବେ ଶୁଣିଛନ୍ତି? ହଁ, ଏମିତିକା ଲାଇବ୍ରେରି କରିଛନ୍ତି ଆସାମର ୪୧ ବର୍ଷୀୟ କୃଷକ ମୋହନ ଚନ୍ଦ୍ର ବୋର୍‌ହା। ସେ ଏହାର ନାମ ରଖିଛନ୍ତି ଅନ୍ନପୂର୍ଣ୍ଣା ଧାନ ଲାଇବ୍ରେରି। ପିତାଙ୍କ ଦେହାନ୍ତ ପରେ ଧାନ ବିହନ ସଂରକ୍ଷଣ ଲାଗି ସେ ଏହି ଲାଇବ୍ରେରି ପ୍ରତିଷ୍ଠା କରିଛନ୍ତି। ଏବେ ସୁଦ୍ଧା ମୋହନ ୫୦୦ରୁ ଅଧିକ କିସମ ଧାନ ବିହନ ଲାଇବ୍ରେରିରେ ସାଇତି ରଖିଛନ୍ତି। ସେ ବିହନ ସଂରକ୍ଷଣ ସହ ସେଗୁଡ଼ିକୁ ମାଗଣାରେ ଚାଷୀମାନଙ୍କୁ ଯୋଗାଇ ଦେଉଛନ୍ତି। ମୋହନ ୧୫ ବର୍ଷ ପୂର୍ବେ ଏହି ଧାନ ଲାଇବ୍ରେରି କରିଥିଲେ। ସେବେଠାରୁ ସେ ଆସାମର ବିଭିନ୍ନ ଫାର୍ମ ଓ ଭିନ୍ନ ଭିନ୍ନ ସ୍ଥାନରୁ କୃଷକମାନଙ୍କଠାରୁ ବିହନ ସଂଗ୍ରହ କରିଛନ୍ତି। ଏଥିମଧ୍ୟରେ ସୁଗନ୍ଧିତ, ବନ୍ୟା ପ୍ରତିରୋଧକ, କଳା ଓ ପାହାଡ଼ି ଧାନ ଆଦି ରହିଛି। ୧୫ ବର୍ଷ ହେଲା ମୋହନ ନିଜ ପକେଟରୁ ଖର୍ଚ୍ଚ କରି ଏହି ଲାଇବ୍ରେରି ପରିଚାଳନା କରୁଛନ୍ତି। ନିଜେ ମଧ୍ୟ ପ୍ରତ୍ୟେକ କିସମ ଚାଷ କରି ଅଧିକ ବିହନ ଉପତ୍ାଦନ କରୁଛନ୍ତି, ଯାହାଦ୍ୱାରା କୃଷକଙ୍କୁ ମାଗଣାରେ ଯୋଗାଇ ଦେବା ସମ୍ଭବ ହୋଇପାରୁଛି।