ଏଇ ଭାରତରେ

ସେବାରେ ଆନନ୍ଦ, ସେବାରେ ପୁଣ୍ୟ- ଏହି କଥା ଉପଲବ୍ଧି କରିଛନ୍ତି ହରିୟାଣାର ଦେବଦାସ ଗୋସ୍ବାମୀ। ସେ ଗୃହହୀନ ଓ ନିଃସଙ୍ଗ ଜୀବନ ବିତାଉଥିବା ଲୋକମାନଙ୍କ ଆଶାବାଡ଼ି ପାଲଟିଛନ୍ତି। ଏବେ ସୁଦ୍ଧା ସେ ୨୦୦ରୁ ଅଧିକ ଲୋକଙ୍କୁ ଆଶ୍ରୟ ଦେଇଛନ୍ତି। ପେସାରେ ଜଣେ ଡ୍ରାଇଭର ହେଲେ ବି ସେମାନଙ୍କୁ ଖାଦ୍ୟଠାରୁ ଆରମ୍ଭ କରି ଚିକିତ୍ସା ଯୋଗାଇ ଦେବାରେ କେବେ ବି ଅବହେଳା କରିନାହାନ୍ତି। ହରିୟାଣାର ଏକ ଗରିବ ପରିବାରରେ ଦେବଙ୍କ ଜନ୍ମ। ତାଙ୍କ ପରିବାରର ଆର୍ଥିକ ଅବସ୍ଥା ଭଲ ନ ଥିଲା । ପିଲାବେଳୁ ସେ କ୍ଷୁଧାର ସମ୍ମୁଖୀନ ହୋଇଛନ୍ତି । ଦାରିଦ୍ର୍ୟକୁ ନିକଟରୁ ଦେଖିତ୍ଥିବା ଦେବ ଗରିବ ଲୋକଙ୍କୁ ଆଶ୍ରୟ ଓ ଖାଦ୍ୟ ଦେବା ଲାଗି ନିଷ୍ପତ୍ତି ନେଇ ତାହାକୁ ସୁଚାରୁରୂପେ ଚଳାଇଛନ୍ତି। ଏଥିପାଇଁ ସେ ‘ଡାଭୋ’ ସଂସ୍ଥା ପ୍ରତିଷ୍ଠା କରି ତା’ଦ୍ୱାରା ସେବା କାର୍ଯ୍ୟ ଚଳାଇଛନ୍ତି। ବହୁ ସମୟରେ ସେ ଅର୍ଥାଭାବର ସମ୍ମୁଖୀନ ହେଉଥିଲେ ବି ତାଙ୍କ କାର୍ଯ୍ୟରୁ ବିରତ ହୋଇନାହାନ୍ତି। ସେ ଦ୍ୱାରକା, ଦିଲ୍ଲୀରେ ଦୁଇଟି ଆଶ୍ରୟସ୍ଥଳ ଖୋଲି ସେଠାରେ ଏହି ଅସହାୟ ଲୋକଙ୍କୁ ରଖିଛନ୍ତି। କେବଳ ଏତିକି ନୁହେଁ ସେ ରାଜପଥରେ ଗାଡ଼ି ଚଳାଉଥିବା ସମୟରେ ରାସ୍ତାକଡ଼ରେ ଅଚିହ୍ନା ଶବ ଦେଖିଲେ ତାହାର ସଂସ୍କାର ଦାୟିତ୍ୱ ଆଇନଗତ ଭାବେ ନିଜେ ବହନ କରୁଛନ୍ତି।