ସାରା ଦେଶର ବିଭିନ୍ନ ସ୍ଥାନରେ ଜମି ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଛି। ସେମାନେ ବିଭିନ୍ନ ସ୍ଥାନରେ ଭୟ ଦେଖାଇ ଜମି ଦଖଲ କରୁଛନ୍ତି। କିନ୍ତୁ ଜମି ମାଫିଆଙ୍କ ଭୟକୁ ଭ୍ରୂକ୍ଷେପ ନ କରି ତାମିଲନାଡୁର ଜି. ଶ୍ରୀକାନ୍ତ ଗୁଡିୟାଥାମ ସହର ନିକଟବର୍ତ୍ତୀ ଉଲ୍ଲି ଗାଁର ପଲାର ନଦୀ କୂଳରେ ୨୫ ଏକର ଜମି ସେମାନଙ୍କ କବଳରୁ ମୁକ୍ତ କରିପାରିଛନ୍ତି। କେବଳ ସେତିକି ନୁହେଁ, ଶ୍ରୀକାନ୍ତ ସେହି ଜମିରେ ଏକ ଜଙ୍ଗଲ କରିପାରିଛନ୍ତି। ଶ୍ରୀକାନ୍ତ କମ୍ପ୍ୟୁଟର ବିଜ୍ଞାନରେ ଶିକ୍ଷା ଶେଷ କରି ଚେନ୍ନାଇରେ ଫିଲ୍ମ ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରୁଥିଲେ। ତାଙ୍କ ବଡ଼ ଭାଇଙ୍କର ଦୁର୍ଘଟଣାରେ ମୃତ୍ୟୁ ହେବା ପରେ ସେ ଗାଁକୁ ଫେରି କୃଷିକାର୍ଯ୍ୟ ଆରମ୍ଭ କରିବା ସହ ୨୦୧୮ରେ ଆଖପାଖରେ ଜଙ୍ଗଲ ସୃଷ୍ଟି କରିବା ଆରମ୍ଭ କରିଥିଲେ। ଏବେ ସୁଦ୍ଧା ସେ ୧୫ ହଜାର ଗଛ ଲଗାଇ ସାରିଲେଣି। ଜମି ମାଫିଆଙ୍କ କବଳରୁ ଉଦ୍ଧାର କରିଥିବା ୨୫ ଏକର ଜମିରେ ଶ୍ରୀକାନ୍ତ ୭ ହଜାର ଗଛ ଲଗାଇଛନ୍ତି। ଏଥିପାଇଁ ସେ ପକେଟରୁ ୧.୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି।