ଏଇ ଭାରତରେ

ସମାଜରେ ଟ୍ରାନ୍ସଜେଣ୍ଡରଙ୍କୁ ବହୁ ଟାହିଟାପରା ଶୁଣିବାକୁ ପଡୁଥିଲାବେଳେ ଆସାମର ଋତୁପର୍ଣ୍ଣା ନେଓଗ କିନ୍ତୁ ସମାଜରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି। ଟ୍ରାନ୍ସଓମେନ ଋତୁପର୍ଣ୍ଣା ବିଭିନ୍ନ ଗାଁରେ ଲାଇବ୍ରେରି ଖୋଲୁଛନ୍ତି,ଯେଉଁଠି କୌଣସି ଦେୟ ଦେବାକୁ ପଡୁନାହିଁ। ଏଠାରେ ହିନ୍ଦୀ, ଇଂଲିଶ ଓ ଆସାମିଜ ଭାଷାର ବହି ରଖାଯାଇଛି। ଶିକ୍ଷାର ପ୍ରସାର ସହ ଜନମାନସରେ ଥିବା ଲିଙ୍ଗଗତ ବୈଷମ୍ୟ ତଥା ସମଲିଙ୍ଗୀଙ୍କୁ ନେଇ ଥିବା ବିକୃତ ଚିନ୍ତାଧାରା ଦୂର କରିବା ପାଇଁ ସେ ଉଦ୍ୟମ ଜାରି ରଖିଛନ୍ତି। ସେ ‘ଅକାମ ଫାଉଣ୍ଡେଶନ’ ଗଠନ କରି ତା’ମାଧ୍ୟମରେ ଏହି କାର୍ଯ୍ୟ କରୁଛନ୍ତି। ଋତୁପର୍ଣ୍ଣା ଛାତ୍ରଜୀବନରେ ଯେଭଳି ମାନସିକ ନିର୍ଯାତନାର ସମ୍ମୁଖୀନ ହୋଇଛନ୍ତି ସେଭଳି ଅନ୍ୟ ଟ୍ରାନ୍ସଜେଣ୍ଡରମାନେ ନ ଭୋଗନ୍ତୁ- ଏହି ଲକ୍ଷ୍ୟ ନେଇ ଲାଇବ୍ରେରି ମାଧ୍ୟମରେ ଅଭିଯାନ ଚଳାଇ କିଛି ପରିବର୍ତ୍ତନ ଆଣିବା ଲାଗି ପ୍ରୟାସ କରୁଛନ୍ତି। ସେ ମଧ୍ୟ ବିଭିନ୍ନ ସହର ଓ ଗ୍ରାମରେ ଏ ସମ୍ପର୍କରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଚଳାଉଛନ୍ତି। ଋତୁପର୍ଣ୍ଣା ଟାଟା ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସୋସିଆଲ ସାଇନ୍ସ, ଗୁଆହାଟୀରୁ ୨୦୧୭ରେ ଡିଗ୍ରୀ ହାସଲ କରିବା ପରେ ଏହି କାର୍ଯ୍ୟ ଆରମ୍ଭ କରିଥିଲେ। ଏହି କାର୍ଯ୍ୟରେ ଏବେ ତାଙ୍କ ସହିତ ଆଉ ୧୫ ଜଣ ଟ୍ରାନ୍ସଜେଣ୍ଡର ସାମିଲ ହୋଇଛନ୍ତି।