ଏଇ ଭାରତରେ

କଥାରେ ଅଛି ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ। ଏହାକୁ ପ୍ରତିପାଦନ କରୁଥିବା ଏକ ଭିଡିଓ ଗତ ଦୁଇଦିନ ହେଲା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓ ଅନୁସାରେ ଜଣେ ବ୍ୟକ୍ତି ରେଳ ଟ୍ରାକ୍‌ ମଝିରେ ଶୋଇଛନ୍ତି ଏବଂ ଟ୍ରେନ୍‌ ତାଙ୍କ ଉପରେ ଚାଲିଯାଉଛି। ସେଠାରେ ଉପସ୍ଥିତ ଲୋକମାନେ ଭାବୁଛନ୍ତି ବ୍ୟକ୍ତି ଜଣକ ଜୀବିତ ନ ଥିବେ। ହେଲେ ଆଶ୍ଚର୍ଯ୍ୟଜନକ ଭାବେ ସେ ଉଠି ଛିଡ଼ା ହେଉଛନ୍ତି ଓ ତାଙ୍କର କୌଣସି କ୍ଷତି ହୋଇନାହିଁ। ପରେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନିଆଯାଉଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରେଳ ସଂଘ ପକ୍ଷରୁ ଆନ୍ଦୋଳନ ସମୟରେ ବିହାରର ରାଜଧାନୀ ପାଟନାରେ ଏହି ଘଟଣା ଘଟିଛି। ସଂଘ କର୍ମକର୍ତ୍ତାମାନେ ରେଳ ଟ୍ରାକ୍‌ ଅବରୋଧ କରିଥିବାବେଳେ ଟ୍ରେନ୍‌ର ଆଗମନ ପାଇଁ ସଙ୍କେତ ମିଳିଥିଲା। ସମସ୍ତେ ଟ୍ରାକ୍‌ ଛାଡ଼ି ଦୂରକୁ ଚାଲିଯାଇଥିବା ବେଳେ ବ୍ୟକ୍ତି ଜଣକ ଜିଦ୍‌କରି ଟ୍ରାକ୍‌ ନ ଛାଡ଼ି ଶୋଇଯାଇଥିଲେ। ଚାହୁଁ ଚାହୁଁ ଟ୍ରେନ୍‌ ତାଙ୍କ ଉପର ଦେଇ ଚାଲିଯାଇଥିଲା। କିଛି ଲୋକ ଏହି ଘଟଣାର ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଅପଲୋଡ୍‌ କରିଥିଲେ। ଟ୍ରେନ୍‌ ନମ୍ବର ୮୨୩୫୫ ପାଟନା ଛତ୍ରପତି ଶିବାଜୀ ଟର୍ମିନସ ଏକ୍ସପ୍ରେସ୍‌ ହଠାତ୍‌ ଅପ୍‌ ମେନ୍‌ ଲାଇନକୁ ଆସିଥିଲାବେଳେ ରେଲଓ୍ବେକୁ କୁହାଯାଇଥିଲା କମିଟି ସଦସ୍ୟମାନେ ଏହାକୁ ବିରୋଧ କରିବେ। ଏହା ସତ୍ତ୍ୱେ ଟ୍ରେନ୍‌ ଆସିଥିଲା। ଭିଡିଓ ଦେଖିବା ପରେ ସମସ୍ତେ ଏପରି ଅବହେଳା ପାଇଁ ଷ୍ଟେଶନ ମାଷ୍ଟରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।