ଏଇ ଭାରତରେ

ବହୁ ସମୟରେ ପ୍ରତିକୂଳ ପରିସ୍ଥିତିକୁ ସାମ୍‌ନା କରିଥିବା ବ୍ୟକ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଯାଆନ୍ତି, ଯାହା ଘଟିଛି ପଶ୍ଚିମବଙ୍ଗର ମାମୁନ ମଲିକଙ୍କ ଜୀବନରେ। ମାମୁନ ୪ଟି ଇଂଲିଶ ମିଡିୟମ ସ୍କୁଲ ଖୋଲି ଗରିବ ପିଲାମାନଙ୍କୁ ମାଗଣାରେ ଶିକ୍ଷା ଦେବାର ବ୍ୟବସ୍ଥା କରିଛନ୍ତି। ଏହାର ନାମ ରଖିଛନ୍ତି ସାମରିଟାନ ହେଲ୍‌ପ ମିଶନ ସ୍କୁଲ। ମାମୁନ ତାଙ୍କ ଜୀବନର ଅନୁଭୂତିରୁ ଏଭଳି ସ୍କୁଲ ଖୋଲିବାକୁ ପ୍ରେରଣା ପାଇଥିଲେ। ସେ ପଢିବା ସମୟରେ ତାଙ୍କ ପରିବାର ସ୍କୁଲ ଫି’ ଦେବାକୁ ସକ୍ଷମ ନ ଥିଲା। ଏଥିପାଇଁ ସେ ସ୍କୁଲ ଛାଡ଼ି ଘରେ ପଢି ଦ୍ୱାଦଶ ଯାଏ ପାସ୍‌ କରିଥିଲେ। ଗରିବ ପିଲାମାନଙ୍କୁ ଇଂଲିଶ ମାଧ୍ୟମରେ ଭଲ ଶିକ୍ଷା ଦେବା ଲାଗି ପ୍ରଥମେ ଘରେ କିଛି ପିଲାଙ୍କୁ ପଢାଇବା ଆରମ୍ଭ କରିଥିଲେ। ଧୀରେ ଧୀରେ ପିଲାଙ୍କ ସଂଖ୍ୟା ବଢିବା ଯୋଗୁ ସେ ଗୋଟିଏ ପରେ ଗୋଟିଏ ୪ଟି ସ୍କୁଲ ଖୋଲିଥିଲେ। କିନ୍ତୁ ତାଙ୍କ ପାଖରେ ଅର୍ଥାଭାବ ରହିଥିଲା। ଖବରକାଗଜରୁ ୟୁଏସ୍‌ କନ୍‌ସୁଲେଟ ଜେନେରାଲଙ୍କ ସ୍ତ୍ରୀଙ୍କ ସମାଜ ସେବା ସମ୍ପର୍କରେ ପଢି ତାଙ୍କ ନିକଟକୁ ସ୍କୁଲ ବିଷୟରେ ଲେଖିଥିଲେ। ପରେ ସେ ନିଜେ କୋଲକାତା ଆସି ମାମୁନଙ୍କ ସ୍କୁଲ ପରିଦର୍ଶନ କରି ଆର୍ଥିକ ସାହାଯ୍ୟ ଯୋଗାଇ ଦେଇଥିଲେ। ଏବେ ୪ଟି ଯାକ ସ୍କୁଲରେ ୬୫୦୦ ପିଲା ପଢୁଛନ୍ତି।