ଏଇ ଭାରତରେ

ବାହାରେ ଠୁଳ ହେଉଥିବା ବର୍ଜ୍ୟ ଓ ଚିମିନ ଇଟାଭାଟିରୁ ନିର୍ଗତ ବିଷାକ୍ତ ବାଷ୍ପ ପରିବେଶକୁ ପ୍ରଭାବିତ କରୁଛି। ଏହାର ନକାରାମତ୍କ ପ୍ରଭାବ ମଧ୍ୟ ଜୀବଜଗତ ଉପରେ ପଡ଼ୁଛି। ଏଭଳି ଏକ କ୍ଷତିକାରକ ପରିବେଶ ପ୍ରଦୂଷଣ ରୋକିବା ଲାଗି ଆସାମର ରୁପମ ଚୌଧୁରୀ ଓ ତାଙ୍କ ସାଥୀ ମୌସମ ତାଲୁକଦାର ଓ ଡାଭିଡ ପ୍ରୀତମ୍‌ ଗୋଗୋଇଙ୍କ ବିକଳ୍ପ ଉଦ୍ୟମ ପ୍ରଶଂସନୀୟ। ସେମାନେ ଏକ ପ୍ରକାର ଇଟା ତିଆରି କରୁଛନ୍ତି; ଯେଉଁଥିରେ ୭୦% ବର୍ଜ୍ୟ ରହୁଛି। ଏହି କାର୍ଯ୍ୟ ସେମାନେ ଜେରୁଣ୍ଡ ବ୍ରିକ୍ସ କମ୍ପାନୀ ମାଧ୍ୟମରେ କରୁଛନ୍ତି। ଥର୍ମାଲ ପ୍ଲାଣ୍ଟରୁ ବାହାରୁଥିବା ଫ୍ଲାଏଆଶ୍‌, ପ୍ଲାଷ୍ଟିକ ବର୍ଜ୍ୟ ଓ ସିମେଣ୍ଟ ମିଶାଇ ଏହି ଇଟା ପ୍ରସ୍ତୁତ କରାଯାଉଛି। ଇଟା ଚୁଲା ବଦଳରେ ଏହାକୁ ଇଲେକ୍ଟ୍ରି ମେଶିନରେ କରାଯାଉଛି। ଫଳରେ କାର୍ବନ ନିର୍ଗମନ କମ୍‌ ହେଉଛି। ଏହି ଇଟାର ଓଜନ ସାଧାରଣ ଇଟାଠାରୁ କମ୍‌ । ୬ଟି ସାଧାରଣ ଇଟା ଆକାର ଯାହା ଏହି ଜେରୁଣ୍ଡ ଇଟାର ଆକାର ତାହା। ଏଣୁ ସାଧାରଣ ଇଟା ତୁଳନାରେ ଏଥିରେ କମ୍‌ ଖର୍ଚ୍ଚ ହେଉଛି। ୨୦୧୮ରୁ ସେମାନେ ଏହି କାର୍ଯ୍ୟ ଆରମ୍ଭ କରିଥିଲେ। ଏବେ ସୁଦ୍ଧା ସେମାନେ ୨.୫ ଲକ୍ଷ ଇଟା ବିକ୍ରି କରିସାରିଲେଣି। ଏହାକୁ ଆସାମ, ଅରୁଣାଚଳ ପ୍ରଦେଶ, ମେଘାଳୟ ଓ ନାଗାଲାଣ୍ଡରେ ବିକ୍ରି କରାଯାଉଛି।